ଅଶ୍ଳୀଳ ଭିଡିଓ ପ୍ରସ୍ତୁତ ମାମଲାରେ ସାରା ଦେଶରେ ସିବିଆଇ ଚଢ଼ାଉ
ପିଲାଙ୍କ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରିବା ଏବଂ ତାହାକୁ ସେୟାର କରିବା ମାମଲାରେ ସିବିଆଇ ମଙ୍ଗଳବାର ଦେଶରେ ୭୬ ସ୍ଥାନରେ ରେଡ୍ କରିଛି । ସିବିଆଇ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ମୁତାବକ ୧୪ ନଭେମ୍ୱରରେ ଏହି ମାମଲାରେ ମୋଟ ୮୩ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ସିବିଆଇ ଅଧିକାରୀଙ୍କ ସୂଚନା ମୁତାବକ ଦେଶର ବିଭିନ୍ନ ରାଜ୍ୟର ୭୬ ସହରରେ ଏହି ସର୍ଚ୍ଚ ଅପରେସନ ଜାରି ରହିଛି । ଦୁଇ ଦିନ ପୂର୍ବେ ସିବିଆଇ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରିଥିଲା । ଆଜି ସକାଳେ ମଧ୍ୟପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ, ଦିଲ୍ଳୀ, ଉତ୍ତର ପ୍ରଦେଶ, ପଞ୍ଜାବ, ବିହାର, ଓଡ଼ିଶା, ତାମିଲନାଡ଼ୁ, ରାଜସ୍ଥାନ, ଗୁଜୁରାଟ, ହରିୟାଣା, ହିମାଚଳ ପ୍ରଦେଶରେ ଭିନ୍ନ ଭିନ୍ନ ସ୍ଥାନରେ ଲୋକଙ୍କ ଘରେ ତନଖି କରିଛି ସିବିଆଇ । ୧୪ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଭିନ୍ନ ଭିନ୍ନ ସହରରେ କରାଯାଇଥିବା ଏହି ରେଡ୍ରେ ମଧ୍ୟପ୍ରଦେଶର ୩ ବଡ଼ ସହରର ଅନ୍ତର୍ଭୁକ୍ତ ଥିବା ଜଣାପଡ଼ିଛି ।
ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ପକ୍ଷରୁ ଜାରି ପରିସଂଖ୍ୟାନ ମୁତାବକ ସାରା ଦେଶରେ ଶିଶୁଙ୍କ ବିରୋଧରେ ସାଇବର କ୍ରାଇମ ୨୦୧୯ ତୁଳନାରେ ୨୦୨୦ରେ ୪ଶହ ପ୍ରତିଶତ ଠାରୁ ଅଧିକ ବଢ଼ିସାରିଛି । ଏଥିରେ ଅଧିକାଂଶ ମାମଲା ଯୌନ କାର୍ଯ୍ୟରେ ପିଲାଙ୍କୁ ଦେଖାଯାଇଥିବା ସାମଗ୍ରୀର ପ୍ରକାଶନ ଓ ପ୍ରସାରଣ ସମ୍ପର୍କିତ ରହିଛି । ଏନସିଆରର ୨୦୨୦ ପରିସଂଖ୍ୟାନ ଅନୁଯାୟୀ ପିଲାଙ୍କ ବିରୋଧରେ ହୋଇଥିବା ଅନଲାଇନ କ୍ରାଇମ ଉତ୍ତରପ୍ରଦେଶରେ ସବୁଠାରୁ ଅଧିକ ୧୭୦ ମାମଲା ରୁଜୁ ହୋଇଛି । ଏହା ପରେ କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ରହିଛି । ଏଠାରେ ଶିଶୁଙ୍କ ବିରୋଧରେ ଯଥାକ୍ରମେ ୧୪୪ ଏବଂ ୧୩୭ଟି ମାମଲା ରୁଜୁ ହୋଇଛି । ସେହିଭଳି କେରଳାରେ ୧୦୭ ଏବଂ ଓଡ଼ିଶାରେ ୭୧ଟି ମାମଲା ରୁଜୁ ହୋଇଛି ।