ମମିତା ମେହେର ହତ୍ୟା ପ୍ରତିବାଦରେ ବିଜେପି ପକ୍ଷରୁ ଏସ୍ପି ଅଫିସ୍ ଘେରାଉ, ଆନ୍ଦୋଳନକାରୀ ଓ ପୋଲିସ ଧସ୍ତାଧସ୍ତି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ପ୍ରତିବାଦରେ ଜଗତସିଂହପୁର ଜିଲ୍ଲା ବିଜେପି ପକ୍ଷରୁ ଏସପି ଅଫିସ୍ ଘେରାଉ କରାଯାଇଛି । ଶତାଧିକ ବିଜେପି ନେତା ଓ କର୍ମୀମାନେ ସ୍ଥାନୀୟ ଶାରଦା ମଣ୍ଡପ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଏସପି ଅଫିସ୍ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ବିକ୍ଷୋଭ ବେଳେ ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ବ୍ୟାରିକେଟ୍ ଭାଙ୍ଗି ଶତାଧିକ ବିଜେପି କର୍ମୀ ଏସପି ଅଫିସ୍ ଭିତରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଏହି ଘଟଣାରେ ପୋଲିସ ୧୫ରୁ ଉର୍ଦ୍ଧ୍ବ ବିଜେପି କର୍ମୀଙ୍କୁ ଗିରଫ କରିଛି । ଘଟଣାସ୍ଥଳରେ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି ।