ଜମ୍ମୁ କଶ୍ମୀରରେ ବିଗୁଡୁଛି ସ୍ଥିତି : ପଠାଗଲା ୫୦ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜାମ୍ମୁ ଓ କାଶ୍ମୀରରେ ସକ୍ରିୟ ହୋଇଛନ୍ତି ଆତଙ୍କୀ । ଏହାକୁ ନଜରରେ ରଖି ୫୦ କମ୍ପାନୀ ଅତିରିକ୍ତ ଅର୍ଦ୍ଧସାମରିକ ବାହିନୀ ପଠାଇଛି କେନ୍ଦ୍ର । ପୁଣି ପ୍ରତିଷ୍ଠା ହୋଇଛି ସିକ୍ୟୁରିଟି ବଙ୍କର । ଆତଙ୍କବାଦୀଙ୍କୁ ଦମନ କରିବା, ନାଗରିକଙ୍କ ଜୀବନର ସୁରକ୍ଷା ଲାଗି ଏହି ପଦକ୍ଷେପ ନିଆଯାଇଛି । ବିଶେଷ କରି ଶ୍ରୀନଗର ଉପରେ ଏହି ଯବାନ ଦୃଷ୍ଟି ନିବଦ୍ଧ କରିବେ। ଏହା ସହ ପ୍ରାୟ ୧୦ବର୍ଷ ପରେ ପୁଣି ଥରେ ସହରର ବିଭିନ୍ନ ରାସ୍ତାରେ ସିକ୍ୟୁରିଟି ବଙ୍କରମାନ ପ୍ରତିଷ୍ଠା କରାଯାଇଛି । ଗତ ଦୁଇ ସପ୍ତାହ ଧରି ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ସକ୍ରିୟ ହେବା ସହ ଲୋକଙ୍କୁ ହତ୍ୟା କରୁଥିବାରୁ ଏହି ପଦକ୍ଷେପ ନିଆଯାଇଛି ।

ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପାଇଁ ୩ଦିନିଆ ଜମ୍ମୁ ଗସ୍ତ କରୁଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହା । ଶ୍ରୀନଗରରେ ହେବାକୁ ଥିବା ସୁରକ୍ଷା ସମୀକ୍ଷା ବୈଠକରେ ହେବେ ସାମିଲ । ଜାମ୍ମୁ ଓ କାଶ୍ମୀରକୁ ଶାନ୍ତି ଓ ସ୍ଥିରତା ଫେରିବା ପରେ ଗତ ୨୦୧୦ ରୁ ୨୦୧୮ ମଧ୍ୟରେ ସେଠାରେ ଥିବା ସିକ୍ୟୁରିଟି ବଙ୍କରଗୁଡିକୁ ହଟାଇଦିଆଯାଇଥିଲା । ବଙ୍କର ପ୍ରତିଷ୍ଠା ହେବା ଯୋଗୁ ଆତଙ୍କବାଦୀଙ୍କ ମୁକ୍ତ ବିଚରଣ ଉପରେ ରୋକ ଲାଗିବ । ବର୍ତ୍ତମାନ ଆତଙ୍କବାଦୀମାନେ ଗୋଟିଏ ସ୍ଥାନରେ ଆକ୍ରମଣ କରି ଅନ୍ୟ ସ୍ଥାନକୁ ଅନାୟସରେ ଯାଇପାରୁଛନ୍ତି । ୨୦୧୦ରେ ସର୍ବଦଳୀୟ ପ୍ରତିନିଧିମଣ୍ଡଳୀର ପରାମର୍ଶ କ୍ରମେ ସେହି ବର୍ଷରେ ହିଁ ୫୦ରୁ ଅଧିକ ବଙ୍କରକୁ ହଟାଇଦିଆଯାଇଥିଲା । ପରେ ପରେ ପ୍ରାୟ ସମସ୍ତ ବଙ୍କର ଉଠିଯାଇଥିଲା । ଗୁରୁତ୍ୱପୂର୍ଣ୍ଣ ଶ୍ରୀନଗର ବିମାନବନ୍ଦର ରୋଡ ଅନ୍ତର୍ଗତ ବାର୍ଜୁଲ୍ଲା ବ୍ରିଜରେ ଏବେ ଦୁଇଟି ବଙ୍କର ପ୍ରତିଷ୍ଠା ହୋଇଛି । ଶ୍ରୀନଗରର କିଛି ସନ୍ଦିଗ୍ଧ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ କରଯିବା ସହ ଦୁଇଚକିଆ ଯାନର ଜୋରଦାର ଚେକିଂ ଆରମ୍ଭ କରାଯାଇଛି ।

Leave a comment