ନବୀନଙ୍କ ମୟୁରଭଞ୍ଜ ଗ୍ରସ୍ତ ପୂର୍ବରୁ ମନ୍ତ୍ରୀ ପଦ ହରାଇବେ ଦିବ୍ୟଶଙ୍କର !!
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୟୁରଭଞ୍ଜ ଗ୍ରସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନେଇପାରନ୍ତି କଠୋର ନିଷ୍ପତ୍ତି । ମନ୍ତ୍ରୀ ପଦ ହରାଇ ପାରନ୍ତି ଦିବ୍ୟଶଙ୍କର । କଳାହାଣ୍ଡି ମହାଲିଙ୍ଗ ହାଇସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ହତ୍ୟାରେ ମନ୍ତ୍ରୀ ଦିବ୍ୟଶଙ୍କର ଙ୍କ ଘନିଷ୍ଠ ସହଯୋଗୀର ସମ୍ପୃକ୍ତି ନେଇ ବିରୋଧୀ କଂଗ୍ରେସ ଓ ବିଜେପି ଇସ୍ତଫା ଦାବି କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଏହାକୁ ଖୁବ ଗମ୍ଭୀରତାର ସହ ନେଇଥିବା ସୂଚନା ମିଳିଛି । ଖୁବଶୀଘ୍ର ସେ କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବା ନେଇ ଚର୍ଚ୍ଚା ଜୋର ଧରିଲାଣି । କାହିଁକି ନା, କିଛିଦିନ ପୂର୍ବରୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେଵ ବାଲୁଗାଁ ମଣ୍ଡଳ ବିଜେପି ସଭାପତି ନିରଞ୍ଜନଙ୍କୁ ମାଡ଼ ମାରିବା ଘଟଣାରେ ଦଳରୁ ନିଲମ୍ବିତ ହୋଇଥିଲେ । ତେବେ ଏତେ ବଡ଼ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ସଂପୃକ୍ତି ଥିବା ନେଇ ବିରୋଧୀ ଦାବି କରୁଥିବା ବେଳେ ମନ୍ତ୍ରୀ ବା କିପରି ବର୍ତ୍ତି ଯିବେ ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।
ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ମୟୁରଭଞ୍ଜ ଗ୍ରସ୍ତ ଏକ ସରକାରୀ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଦିବ୍ୟଶଙ୍କର ମଧ୍ୟ ଅତିଥି ଭାବେ ଯୋଗଦେବାର ଥିଲା ମାତ୍ର ଏହି ଘଟଣା ପରେ ତାଙ୍କ ନାମ ଅତିଥି ତାଲିକା ରୁ ହଟାଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ସହିତ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ମଧ୍ୟ ମାଞ୍ଚରୁଢ଼ ରହିବେ। ମହାଲିଙ୍ଗ ହାଇସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାରେ ମନ୍ତ୍ରୀ ଦିବ୍ୟଶଙ୍କର ଙ୍କ ସମ୍ପୃକ୍ତି ନେଇ ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀ ଙ୍କୁ ଟାର୍ଗେଟ କରିପାରନ୍ତି କେନ୍ଦ୍ରମନ୍ତ୍ରୀ ବୋଲି ଚର୍ଚ୍ଚା ହେଉଛି । ସେହିପରି ମୟୁରଭଞ୍ଜ ରେ ବିଜେପି ଏବଂ ଜେଏମଏମ ମୁଖ୍ୟମନ୍ତ୍ରୀଙ୍କୁ ମୟୁରଭଞ୍ଜ ଗ୍ରସ୍ତ ସମୟରେ କଳା ପତାକା ପ୍ରଦର୍ଶନ କରିବାକୁ ପ୍ଲାନ କରୁଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି ।
ସେହିପରି କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍ସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହର ହତ୍ୟା ମାମଲାରେ ଗତକାଲି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା ଦେଇଥିଲା ବିଜେପି । ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ଏହି ବନ୍ଦ ଡାକରା ଦିଆଯାଇଥିଲା । ଏହି ଘଟଣାର ସିବିଆଇ ତଦନ୍ତ କରି ଦୋଷୀକୁ ଧରିବାକୁ ଦାବି ଜଣାଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଏ ନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ସମ୍ପୃକ୍ତ ବିଦ୍ୟାଳୟରେ ସେକ୍ସ ରାକେଟ ଚାଲୁଥିବା ନେଇ ହୋଇଥିବା ଅଭିଯୋଗର ତଦନ୍ତ ଦାବି ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଉଚିତ୍ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ବିରୋଧୀ ଦଳ ନେତା । ଏହାସହ ମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱରେ ଥିବାରୁ ତଦନ୍ତ ଠିକ୍ ଚାଲିପାରିବନି ବୋଲି ଲେଖିଛନ୍ତି ପ୍ରଦୀପ୍ତ ।
ଅପରପକ୍ଷରେ ତଦନ୍ତ ସମୟରେ ମନ୍ତ୍ରୀ ଦିବ୍ୟଶଙ୍କର ତାଙ୍କ କଲେଜକୁ ପ୍ରତି ମାସ ଆସିବା ସହ ରାତିରେ ସେଠାରେ ରହୁଥିବା ଅଭିଯୁକ୍ତ ଗୋବିନ୍ଦ ସ୍ୱୀକାର କରିଛନ୍ତି, ତେବେ ଏହା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ କାହିଁକି ତାଙ୍କୁ ମନ୍ତ୍ରୀ ପଦରୁ ହଟାଇ ନାହାଁନ୍ତି ବା ସେ କାହିଁକି ନିଜେ ଇସ୍ତଫା ଦେଇ ନାହାଁନ୍ତି ତାହାକୁ ନେଇ ବିରୋଧୀ ପ୍ରଶ୍ନ କରିଛନ୍ତି । ଅନେକ ରାଜନୈତିକ ବିଶେଷଜ୍ଞ କହିଛନ୍ତି, କିଛି ବର୍ଷ ପୂର୍ବେ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଙ୍କ ରିଷି ମୃତ୍ୟୁ ମାମଲା ଏବଂ ସେକ୍ସ ସ୍କାଣ୍ଡାଲରେ ସମ୍ପୃକ୍ତି ଥିବା ନେଇ ବିରୋଧୀ ଦଳ ରାଜଧାନୀର ଛାତି ଉପରେ ଦୀର୍ଘ ୩ମାସ ତାଣ୍ଡବ କରିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ନିସ୍ତବ୍ଧ ରହିବା ପରେ ତାଙ୍କୁ ପୁରସ୍କାର ସ୍ୱରୂପ ଭୁବନେଶ୍ୱର ମଧ୍ୟମ ବିଧାୟକ ଟିକେଟ ପ୍ରଦାନ କରିଥିଲେ । ଫଳରେ ଆଜି ଅନ୍ୟ ନେତା, ମନ୍ତ୍ରୀ ମାନଙ୍କ ମନରୁ ଭୟ ଛାଡିଯାଇଛି ।
ସୂଚନା ଅନୁଯାୟୀ, ୧୨ଦିନ ପୂର୍ବରୁ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗର ସନସାଇନ ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ହୋଇଯାଇଥିଲେ । ଏହି ଘଟଣାର ତଦନ୍ତ କରୁଥିବା ବେଳେ ସନସାଇନ ପବ୍ଲିକ୍ ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁଙ୍କୁ ପୁଲିସ ହେପାଜତକୁ ନେଇ ପଚରାଉଚରା କରୁଥିଲା । ହେଲେ ସେ ପୋଲିସକୁ ଚକମା ଦେଇ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ପରେ ଆଖୁ କ୍ଷେତରୁ ପୋଲିସ ତାଙ୍କୁ ଧରିବାରେ ସଫଳ ହୋଇଥିଲା । ପୋଲିସ ତଦନ୍ତ କରି ସ୍କୁଲ ପରିସରରେ ନିର୍ମାଣଧିନ ଷ୍ଟାଡିୟମରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର କରିଛି । ଷ୍ଟାଡିୟମରେ ପୋତା ଯାଇଥିବା ଶବ ଉଦ୍ଧାର ହେବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଛି ।
ଅନ୍ୟପକ୍ଷରେ ଷ୍ଟାଡିୟମରୁ ଶବ ମିଳିବା ପରେ କଂଗ୍ରେସ ରାସ୍ତାକୁ ଓହ୍ଲାଇବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛି । ଏଥିସହିତ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛନ୍ତି । ବିଜେପି ମଧ୍ୟ ଘଟଣାରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ଏକ ପ୍ରତିନିଧି ଦଳ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।