PM caresରେ ‘ପ୍ରଧାନମନ୍ତ୍ରୀ’ ଶବ୍ଦ ମାମଲା: କେନ୍ଦ୍ରକୁ ବମ୍ବେ ହାଇକୋର୍ଟଙ୍କ ନୋଟିସ୍
ନୂଆଦିଲ୍ଲୀ ୧୨।୧୦: ବମ୍ବେ ହାଇକୋର୍ଟ ମଙ୍ଗଳବାର ‘ପିଏମ କେୟାର୍ସ’ ନେଇ ରୁଜୁ ଜନସ୍ୱାର୍ଥ ମାମଲାର ଶୁଣାଣି କରିଛନ୍ତି। ଏଥିରେ ଆବେଦନକାରୀ ‘ପ୍ରଧାନମନ୍ତ୍ରୀ’ ଶବ୍ଦ ହଟାଇବା ଲାଗି କରିଥିବା ନିବେଦନ ଆଧାରରେ କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରାଯାଇଛି। ଆବେଦନରେ ଟ୍ରଷ୍ଟର ଅଧିକାରୀକ ୱେବସାଇଟ୍ରୁ ପ୍ରଧାନମନ୍ତ୍ରୀଙ୍କ ଛବି ସମେତ ଜାତୀୟ ପତାକା ଓ ଜାତୀୟ ପ୍ରତୀକ ଚିହ୍ନ ହଟାଇବା ଲାଗି ମଧ୍ୟ ନିବେଦନ କରାଯାଇଛି।
କଂଗ୍ରେସ ନେତା ବିକ୍ରାନ୍ତ ଚୌହାଣ ରୁଜୁ କରିଥିବା ଜନସ୍ୱାର୍ଥ ମାମଲାରେ କୋଭିଡ-୧୯ ନିମନ୍ତେ ପାଣ୍ଠି ସଂଗ୍ରହ ଲାଗି ସ୍ଥାପିତ ପିଏମ କେୟାର୍ସ ଫଣ୍ଡ ଭାରତୀୟ ସମ୍ବିଧାନ, ଜାତୀୟ ପତାକା, ଜାତୀୟ ପ୍ରତୀକ ତଥା ପଦନାମ ଅନୁଚିତ ଉପଯୋଗ ନୟନ୍ତ୍ରଣ ଆଇନର ଅଧିନିୟମରେ ଥିବା ପ୍ରାବଧାନଗୁଡ଼ିକୁ ଉଲ୍ଲଂଘନ କରୁଥିବା ଅଭିଯୋଗ କରିଛନ୍ତି। ବମ୍ବେ ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଏ.ଏ.ସଈଦ ଓ ଜଷ୍ଟିସ୍ ଏସ.ଜି.ଦିଗେଙ୍କ ଖଣ୍ଡପୀଠ ଆବେଦନର ଶୁଣାଣି କରିଛନ୍ତି।
ଆବେଦନରେ ଟ୍ରଷ୍ଟର ନାମ- ପ୍ରଧାନମନ୍ତ୍ରୀ ଜରୁରିକାଳୀନ ପରିସ୍ଥିତି ନାଗରିକ ସହାୟତା ଓ ରିଲିଫ ପାଣ୍ଠି (ପିଏମ କେୟାର୍ସ ଫଣ୍ଡ)ରୁ ପ୍ରଧାନମନ୍ତ୍ରୀ ଶବ୍ଦକୁ ପ୍ରଥମେ ହଟା ଯାଉ ବୋଲି ନିବେଦନ କରିଛନ୍ତି। ସେହିପରି ଟ୍ରଷ୍ଟର ୱେବସାଇଟ୍ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ମଧ୍ୟ ହଟାଇବାକୁ ଅନୁରୋଧ କରିଛନ୍ତି। ଖଣ୍ଡପୀଠ ମାମଲାର ସଂକ୍ଷିପ୍ତ ଶୁଣାଣିରେ ସରକାରଙ୍କ ପକ୍ଷରୁ ହାଜର ସୋଲିସିଟର ଜେନେରାଲ ଅନୀଲ ସିଂହଙ୍କୁ ଆବେଦନର ଜବାବ ଦେବାକୁ ନିର୍ଦ୍ଦେଶ ଦେବା ସହ ମାମଲାର ପରବର୍ତ୍ତି ଶୁଣାଣି ଅକ୍ଟୋବର ୨୫ ତାରିଖକୁ ଧାର୍ଯ୍ୟ କରିଛନ୍ତି।
ଏହି ଟ୍ରଷ୍ଟକୁ ୨୭ ମାର୍ଚ୍ଚ ୨୦୨୦ରେ ସାର୍ବଜନିକ ସ୍ୱାସ୍ଥ୍ୟ ଜରୁରିକାଳୀନ ପରିସ୍ଥିତିରେ ଲୋକଙ୍କ ସହାୟତା ନିମନ୍ତେ ଏକ ଧର୍ମାର୍ଥ ଅନୁଷ୍ଠାନ ବୋଲି କୁହାଯାଇଛି। ଏଣୁ ଭାରତ ସରକାର ଓ ପ୍ରଧାନମନ୍ତ୍ରୀଙ୍କ ସହ ଏହାର କୌଣସି ସମ୍ପର୍କ ନଥିବା ଦାବି କରାଯାଇଛି। ଏଣୁ ଏଥିରେ ପ୍ରଧାନମନ୍ତ୍ରୀ ଶବ୍ଦ ସମେତ ଜାତୀୟ ପତାକା ଓ ଜାତୀୟ ପ୍ରତୀକର ଉପଯୋଗ ସମ୍ବିଧାନ ପ୍ରଦତ୍ତ ଅଧିକାର ଓ ଆଇନର ଘୋର ଉଲ୍ଲଂଘନ ବୋଲି ଆବେଦନକାରୀ ଉଲ୍ଲେଖ କରିଛନ୍ତି।