ସେଲ୍ଫି ନେଲା ବେଳେ ନଦୀରେ ବୁଡ଼ି ଗଲେ ଯୁବକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏବେ ଯୁବଗୋଷ୍ଠୀଙ୍କୁ ଘାରିଛି ସେଲ୍ଫି କ୍ରେଜ । ଉଚ୍ଚା ସ୍ଥାନ, ଗଛ ଉପର, ନଦୀ ପୋଲ ଆଦି ବିପଦପୂର୍ଣ୍ଣ ସ୍ଥାନରେ ସେଲ୍ଫି ଉଠାଇ ସୋସିଆଲ ମିଡିଆରେ ଅପଲୋଡ କରୁଛନ୍ତି । ତେବେ ଏହି ସେଲ୍ଫିମାନିଆ ଯୋଗୁଁ କେତେକ ସ୍ଥାନରେ ଅଘଟଣ ଘଟିଥିବା ଖବର ମଧ୍ୟ ଅନେକ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଆଉ ଏକ ଅଭାବନୀୟ ଘଟଣା ମଙ୍ଗଳବାର ଘଟିଛି ରାୟଗଡ଼ା ଜିଲ୍ଲାରେ ।
ସୂଚନା ଅନୁଯାୟୀ, ରାୟଗଡ଼ା ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଝି ଘରିଆଣୀ ମନ୍ଦିରକୁ ନିଜ ସାଙ୍ଗମାନଙ୍କ ସହ ବୁଲିବାକୁ ଆସିଥିବା ଆନ୍ଧ୍ରପ୍ରଦେଶର ଟି.ଗଙ୍ଗାରାଜୁ ନାମକ ଜଣେ ଯୁବକ ସେଲ୍ଫି ଉଠାଇବା ବେଳେ ନଦୀକୁ ଖସିପଡ଼ି ମୃତ୍ୟୁ ବରଣ କରିଛନ୍ତି । ଗଙ୍ଗାରାଜୁ ସାଙ୍ଗମାନଙ୍କ ସହ ମା’ଙ୍କ ଦର୍ଶନ ସାରି ନାଗାବଳୀ ନଦୀର ଝୁଲା ପୋଲ ଓ ଆଖପାଖ ଅଞ୍ଚଳ ବୁଲିବାକୁ ଯାଇଥିଲେ । ଝୁଲା ପୋଲ ଉପରେ ଗଙ୍ଗାରାଜୁ ସେଲ୍ଫି ଉଠାଉଥିବା ବେଳେ ଅସାବଧନତା ଯୋଗୁଁ ନଦୀକୁ ଖସି ପଡ଼ିଥିଲେ । ଖବରପାଇ ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପୋଲଠାରୁ କିଛି ଦୂରରୁ ଗଙ୍ଗାରାଜୁଙ୍କ ମୃତଦେହ ଉଦ୍ଧାର କରିଥିଲେ । ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ବେଳେ ପୋଲିସ ଏ ନେଇ ୧୫/୧୮ ନଂ.ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।