ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଭର୍ଚୁଆଲ୍ରେ ବସିବ ବୈଠକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କିଏ ହେବେ ମୁଖ୍ୟ ସୂଚନା କମିସନର । ଚର୍ଚ୍ଚାରେ ଆଇପିଏସ୍ ଅଫିସରଙ୍କ ନାଁ । ଖାଲି ପଡିଛି ରାଜ୍ୟ ମୁଖ୍ୟ ସୂଚନା କମିସନର ପଦବି । ଏହି ପଦବିର ନିଯୁକ୍ତି ପାଇଁ ଆଜି ବସିବ ଚୟନ କମିଟି ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ରେ ହେବାକୁ ଥିବା ବୈଠକରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ସାମିଲ ହେବେ । ବୈଠକରେ ଜଣଙ୍କ ନାମ ଚୂଡାନ୍ତ ହୋଇ ରାଜ୍ୟପାଳଙ୍କ ଅନୁମୋଦନ ନିମନ୍ତେ ପଠାଯିବ । ରାଜ୍ୟପାଳଙ୍କ ଅନୁମୋଦନ ପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ।
ମୁଖ୍ୟ ସୂଚନା କମିସନର ସୁନିଲ ମିଶ୍ର ଗତ ଅଗଷ୍ଟ ମାସ ୧୫ତାରିଖରେ ଅବସର ଗ୍ରହଣ କରିଥିଲେ । ଏବେ ଏହି ପଦବି ପାଇଁ ୨ ଆଇପିଏସ୍ ଅଫିସରଙ୍କ ନାମ ଆଗରେ ରହିଛି । ଅଗ୍ନିଶମ ଡିଜି ଏମ୍ ଅକ୍ଷୟ ଏବଂ ତାମିଲନାଡୁର ପୂର୍ବତନ ଡିଜି ଜଳଦ କୁମାର ତ୍ରିପାଠୀ । କେନ୍ଦ୍ରାଞ୍ଚଳ ଆର୍ଡିସି ଅନିଲ ସାମଲ ମଧ୍ୟ ଜଣେ ଦାବିଦାର ଥିବା କୁହାଯାଉଛି । ଆସନ୍ତା ଡିସେମ୍ବରରେ ଡିଜି ଅଭୟ ଅବସର ନେଉଥିବାରୁ ତାଙ୍କ ନାମ ମଧ୍ୟ କମିସନର ପଦବି ପାଇଁ ବିଚାର କରାଯିବାର ଚର୍ଚ୍ଚା ହେଉଛି ।