ବିଜେଡ଼ିରେ ଯୋଗଦେଲେ ଜେଏମଏମ ନେତା, କର୍ମୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡ଼ିର ମିଶ୍ରଣ ପର୍ବ । ଆଜି ବିଜେଡ଼ିରେ ଯୋଗଦେଲେ ଜେଏମଏମର ପୂର୍ବତନ ରାଜ୍ୟ ସଭାପତି ମହେଶ ହେମ୍ବ୍ରମ ଓ ଜେଏମଏମ ରାଜ୍ୟ ଉପ-ସଭାପତି ରାମଚନ୍ଦ୍ର ମୁର୍ମୁ । ସେମାନଙ୍କ ସହିତ ଅନେକ ନେତା ଏବଂ କର୍ମୀ ମଧ୍ୟ ବିଜେଡ଼ିରେ ଯୋଗଦେଇଛନ୍ତି ।
ସୂଚନା ଅନୁଯାୟୀ, ବିଜେଡି କାର୍ଯ୍ୟାଳୟରେ ଦଳର ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ମହେଶ ହେମ୍ବ୍ରମ, ରାମଚନ୍ଦ୍ର ମୁର୍ମୁ ଏବଂ ଅନ୍ୟ ନେତାମାନେ ଦଳରେ ସାମିଲ ହୋଇଛନ୍ତି । ଏହାଦ୍ୱାରା ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ମିଶନ ମୟୂରଭଞ୍ଜ ଅଭିଯାନ ଆରମ୍ଭ କରିଥିବା ନେଇ ସଂକେତ ଦେଇଛି । ଜେଏମଏମର ଦୁଇ ହେଭିୱେଟ ନେତା ଦଳରେ ସାମିଲ ହେବା ପରେ ମୟୂରଭଞ୍ଜରେ ବିଜେଡି ଆହୁରି ସଙ୍ଗଠିତ ହୋଇଛି । ଏହାଛଡା ପଞ୍ଚାୟତ ନିର୍ବାଚନରେ ଏହା ଦଳକୁ ବଡ ଫାଇଦା ଦେବ ବୋଲି ଚର୍ଚ୍ଚା ହେଉଛି ।
ଗତ ପଞ୍ଚାୟତ ମୟୂରଭଞ୍ଜରେ ବିଜେଡିକୁ ବଡ ଝଟକା ଲାଗିଥିଲା । ପଞ୍ଚାୟତ ନିର୍ବାଚନର ଫଳାଫଳ ବିଜେଡିର ଚିନ୍ତା ବଢାଇଥିବା ବେଳେ ସାଧାରଣ ନିର୍ବାଚନରେ ୭ ବିଧାନସଭା ଆସନରୁ ୫ଟିରେ ବିଜେପି ବିଜୟ ବାନା ଉଡାଇଥିଲା । ଲୋକସଭା ଆସନରେ ମଧ୍ୟ ବିଜେଡିକୁ ମାତ୍ ଦେଇଥିଲା ବିଜେପି । ତେଣୁ ଏବେଠାରୁ ବିଜେଡ଼ି ନିଜ ମୂଳଦୁଆ ସୁଦୃଢ କରିବା ଆରମ୍ଭ କରିଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।