କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଟି-୨୦ ମ୍ୟାଚ, ୱେଷ୍ଟଇଣ୍ଡିଜ କୁ ଭେଟିବ ଭାରତ, ପଢ଼ନ୍ତୁ ଖେଳସୂଚୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅନେକ ଦିନର ବ୍ୟବଧାନ ପରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ । ୪ଟି ଦେଶ ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ଭାରତ ଗସ୍ତରେ ଆସିବେ । ସେଥିପାଇଁ ବିସିସିଆଇ ଆନ୍ତର୍ଜାତୀୟ ଖେଳସୂଚୀ ପ୍ରସ୍ତୁତ କରିସାରିଛି । ଏହି ୪ଟି ଦେଶ ସହ ଭାରତ ୧୪ଟି ଟି-୨୦, ୩ଟି ଦିନିକିଆ ଓ ୪ଟି ଟେଷ୍ଟ ମ୍ୟାଚ୍ ଖେଳିବ । ଆଉ ଏହି ମ୍ୟାଚ୍ ଗୁଡିକ କେଉଁ ତାରିଖରେ ଓ କେଉଁ ଷ୍ଟାଡିୟମରେ ହେବ ତାହାର ନିଷ୍ପତ୍ତି ବିସିସିଆଇ ନେଇସାରିଥିବା ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି । ମାତ୍ର ଏନେଇ କୌଣସି ଘୋଷଣା କରାଯାଇନାହିଁ । ଭାରତ ଗସ୍ତରେ ଆସିଥିବା ୪ଟି ଦେଶର କ୍ରିକେଟ ବୋର୍ଡକୁ ଅନୁମୋଦନ ପାଇଁ ପଠାଯାଇଛି । ଏହି ୪ଟି ବୋର୍ଡ ଖେଳସୂଚୀରେ ମୋହର ମାରିଲେ ବିସିସିଆଇ ପୂରା କାର୍ଯ୍ୟସୂଚୀ ବାବଦରେ ଘୋଷଣା କରିବ । ଏନେଇ ଆଜି ବିସିସିଆଇର ଏକ ବୈଠକ ବସିବ, ଯେଉଁଠି ଏହି ଖେଳସୂଚୀକୁ ଗ୍ରୀନ୍ ସିଗନାଲ ମିଳିପାରେ ।
ସୂଚନା ଅନୁଯାୟୀ, ଆସନ୍ତା ୨୦୨୨ ଫେବ୍ରୁଆରୀ ୧୫ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବ । ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ତେଣୁ ବାରବାଟୀ ଷ୍ଟାଡିୟମରେ ପ୍ରସ୍ତୁତି ଜୋରଦାର ଚାଲିଛି । ପୂରା ଷ୍ଟାଡିୟମର ନବକଳେବର ହେଉଛି । ଷ୍ଟାଡିୟମକୁ ପୂରା ନୂଆ ରୂପ ଦେଉଛି ଓସିଏ । ପିଚ୍ ଠାରୁ ପ୍ୟାଭିଲିୟନ ସବୁ କିଛି ବଦଳାଯାଉଛି । ଆଉ ଆସନ୍ତା ଫେବ୍ରୁଆରୀରେ ଏହି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ-ୱେଷ୍ଟଇଣ୍ଡିଜ ।