ସାପ ମାନଙ୍କ ଜିଭ ମଝିରୁ ଦୁଇ ଖଣ୍ଡ କାହିଁକି? ଜାଣନ୍ତୁ
ସାପମାନଙ୍କର ଦେଖିବା ଏବଂ ଶୁଣିବା ଶକ୍ତି ବହୁତ କମ୍ ରହିଥାଏ ବୋଲି କୁହାଯାଏ। ସେମାନେ ତାଙ୍କ ଜିଭ ଦ୍ଵାରା ଶୁଙ୍ଘିବା ଏବଂ ଶୁଣିବା କାର୍ଯ୍ୟ କରିଥାନ୍ତି। ଏହା ସହିତ ନିଜ ଜିଭ ସାହାଯ୍ୟରେ ଆଖପାଖର ତାପମାତ୍ରା ମଧ୍ୟ ଜାଣି ପାରନ୍ତି। ତେବେ ଆପଣ ସତରେ ହେଉ ବା ଚିତ୍ରରେ ଦେଖିଥିବେ ଯେ ସାପର ଜିଭ ଦୁଭାଗରେ କଟା ହୋଇ ରହିଥାଏ। ତେବେ ଏପରି କାହିଁକି କାଟି ହୋଇଛି ଆପଣ ଜାଣନ୍ତି କି? ଯଦି ଜାଣି ନାହାନ୍ତି ଆଜି ଆମେ ଆପଣଙ୍କୁ ସେ ବିଷୟରେ ଜଣାଉଛୁ।
ସାପ ନିଜ ଜିଭ ଦ୍ଵାରା ଶିକାର କରିଥାଏ ଏବଂ ଏହି କଟା ଜିଭ ସାପକୁ ତାର ଉତାପ, ଦୂରତା ଏବଂ ଦିଗ ବିଷୟରେ ଜଣାଇବାରେ ସହାୟକ ହୋଇଥାଏ। ଜିଭ କଟା ହେବା କାରଣରୁ ଅଧିକ ବିସ୍ତାର ହୁଏ ଯାହା ଶିକାରକୁ ଧରିବାରେ ସାହାଯ୍ୟ କରେ। ସେହିଭଳି ଏନେଇ ପୌରାଣିକ ବିଶ୍ୱାସ ମଧ୍ୟ ରହିଛି। କିମ୍ବଦନ୍ତୀ ଅନୁଯାୟୀ, ଉଭୟ ଗରୁଡ ଏବଂ ସର୍ପ ସାବତ ଭାଇ ଅଟନ୍ତି। ସାପର ମାତା କଦ୍ରୁ ପ୍ରତାରଣାରେ ଗାରୁଡଙ୍କ ମାତା ବିନଥାଙ୍କୁ ନିଜର ଦାସ କରିଥିଲେ। ଏହା ପରେ ସାପମାନେ ଗରୁଡଙ୍କୁ କହିଥିଲେ ଯେ ଯଦି ସେ ସ୍ୱର୍ଗରୁ ସେମାନଙ୍କ ପାଇଁ ଅମୃତ ଆଣିବେ, ତେବେ ଯାଇ ତାଙ୍କ ମାତାଙ୍କୁ ଦାସତ୍ୱରୁ ମୁକ୍ତି କରାଯିବ।
ଏହା ପରେ ଗରୁଡ ନିଜ ମାଙ୍କୁ ମୁକ୍ତ କରିବା ପାଇଁ ସ୍ବର୍ଗ ଲୋକ ଉପରେ ଆକ୍ରମଣ କରି ସମସ୍ତ ଦେବତାଙ୍କୁ ପରାସ୍ତ କରି ଅମୃତ ହାସଲ କରିଥିଲେ। ଗରୁଡଙ୍କ ପରାକ୍ରମ ଦେଖି ଭଗବାନ ବିଷ୍ଣୁ ବହୁତ ଖୁସି ହେଲେ ଏବଂ ଏହା ପରେ ସେ ଗରୁଡ଼ଙ୍କୁ ନିଜ ବାହନ ଭାବେ ସ୍ବୀକାର କରିଥିଲେ। ଅନ୍ୟପକ୍ଷରେ, ଗରୁଡଙ୍କ ସହ ଯୁଦ୍ଧ କରୁଥିବାବେଳେ ଇନ୍ଦ୍ର ଦେବ ଚେତାଶୂନ୍ୟ ହୋଇପଡିଥିଲେ ଏବଂ ଯେତେବେଳେ ତାଙ୍କ ଚେତା ଫେରିଥିଲା ସେ ଦେଖିଥିଲେ ଯେ ଗରୁଡ ଅମୃତ କଳସ ନେଇ ଚାଲି ଯାଉଛନ୍ତି, ଏହା ଦେଖି ଇନ୍ଦ୍ର ତାଙ୍କ ପିଛା କରିବାକୁ ଲାଗିଥିଲେ ଏବଂ ତାଙ୍କୁ ବଜ୍ର ପ୍ରହାର କରି ଆଘାତ ଦେବାକୁ ଚେଷ୍ଟା କରିଥିଲେ କିନ୍ତୁ ଭଗବାନ ବିଷ୍ଣୁଙ୍କଠାରୁ ଅମର ବର ପାଇଥିବାରୁ ତାଙ୍କର କିଛି କ୍ଷତି ହୋଇନଥିଲା। ଏହା ଦେଖି ଇନ୍ଦ୍ର ଅଶ୍ଚର୍ଯ୍ୟ ହେବା ସହ ଗରୁଡ଼ଙ୍କ ସହ ମିତ୍ରତା କରିବାକୁ ପ୍ରସ୍ତାବ ଦେଇଥିଲେ। ଗରୁଡ ଇନ୍ଦ୍ର ଦେବଙ୍କ ବନ୍ଧୁତାକୁ ମଧ୍ୟ ଗ୍ରହଣ କରିଥିଲେ। ଏହା ପରେ ଇନ୍ଦ୍ର ଦେବ କହିଥିଲେ, ହେ ବନ୍ଧୁ, ଯେଉଁ ସାପମାନଙ୍କୁ ଏହି ଅମୃତ ଦେବାକୁ ତୁମେ ଯାଉଛ, ସେମାନେ ଏହାକୁ ପିଇବା ପରେ ଅମର ହୋଇଯିବେ ଏବଂ ସୃଷ୍ଟିକୁ ନଷ୍ଟ କରିଦେବେ। ତେଣୁ ମୋତେ ଏହି ଅମୃତ କଳସ ଫେରାଇ ଦିଅ।
ଏହାପରେ ଗରୁଡ ଇନ୍ଦ୍ରଦେବଙ୍କୁ କହିଥିଲେ ଯେ ମୁଁ ତୁମକୁ ଏହି ଅମୃତ କଳସ ଦେଇ ପାରିବି ନାହିଁ କାରଣ ଏହି ଅମୃତ କଳସ ସାପମାନଙ୍କୁ ଦେଇ ମୋ ମା’ଙ୍କୁ ସେମାନଙ୍କ ଦାସତ୍ୱରୁ ମୁକ୍ତ କରିବାକୁ ପଡ଼ିବ। କିନ୍ତୁ ମୁଁ ଯେଉଁ ସ୍ଥାନରେ ଏହି କଳସ ରଖିବି ସେଠାରୁ ଆପଣ ଏହାକୁ ଉଠେଇ ଆଣି ପାରିବେ। ଗରୁଡଙ୍କ ଏହି କଥା ଶୁଣି ଇନ୍ଦ୍ରଦେବ ଖୁସି ହେଲେ ଏବଂ କହିଲେ ବନ୍ଧୁ ତୁମେ ମୋତେ ଖୁସି କରିଛ ଯାହା ଇଚ୍ଛା ବର ମାଗି ପାର। ଏହାଶୁଣି ଗରୁଡଦେବ କହିଥିଲେ ଯେଉଁ ସମସ୍ତ ସାପ ମୋ ମା’ଙ୍କୁ ପ୍ରତାରଣା କରି ନିଜର ଦାସ କରିଛନ୍ତି, ସେହି ସମସ୍ତ ସାପ ମୋର ପ୍ରିୟ ଖାଦ୍ୟ ହେବା ଉଚିତ୍।
ଦେବରାଜ ଇନ୍ଦ୍ରଙ୍କଠାରୁ ଏହି ବରଦାନ ପାଇବା ପରେ ଗରୁଡ ଅମୃତ କଳସ ନେଇ ସାପମାନଙ୍କ ପାଖକୁନେଇ କହିଥିଲେ ଯେ ମୁଁ ତୁମ ପାଇଁ ଅମୃତ ଆଣିଛି, ବର୍ତ୍ତମାନ ମା’ଙ୍କୁ ଦାସତ୍ୱରୁ ମୁକ୍ତ କର। ସର୍ପ ଗରୁଡଙ୍କ ହାତରେ ଅମୃତ କଳସ ଦେଖି ବେଶ ଖୁସି ହୋଇଯାଥିଲେ ଏବଂ ତାଙ୍କ ମାଙ୍କୁ ମୁକ୍ତ କରିଦେଇଥିଲେ। ଏହା ପରେ ଗରୁଡ କୁଶରେ ନିର୍ମିତ ଏକ ଆସନରେ ଅମୃତ ରଖି ସାପମାନଙ୍କୁ କହିଥିଲେ ଯେ ତୁମେ ପବିତ୍ର ହୁଅ, ଅମୃତ ପିଅ। ଏହା କହି ସେ ନିଜ ମାଆକୁ ନେଇ ସେଠାରୁ ଚାଲିଗଲେ।
ଏହା ପରେ ସମସ୍ତ ସାପ ଚିନ୍ତା କଲେ ଯେ ଗରୁଡ କାହିଁକି କହିଲେ ଯେ ତୁମେ ପବିତ୍ର ହୁଅ, ଅମୃତ ପିଅ ବୋଲି। ଏହାର ଅର୍ଥ ହେଉଛି ଆମେ ପ୍ରଥମେ ଗାଧୋଇବା ଏବଂ ପବିତ୍ର ହେବା ଉଚିତ୍। ଏହା ପରେ ସମସ୍ତ ସାପ ଗାଧୋଇବାକୁ ଗଲେ। ଏହି ସମୟରେ ଦେବରାଜ ଇନ୍ଦ୍ର ଅମୃତ କଳସ ନେଇ ସ୍ୱର୍ଗକୁ ଚାଲି ଯାଇଥିଲେ। ଅନ୍ୟପକ୍ଷରେ, ଯେତେବେଳେ ସାପ ସ୍ନାନ କରି ଅମୃତ ପିଇବାକୁ ଆସନ୍ତି, ସେହି କୁଶ ଆସନରେ ଅମୃତ ଖୋଜି ପାଇ ନଥିଲେ। ତା’ପରେ ସେମନେ ଭାବିଥିଲେ ଯେ ଆମେ ସମସ୍ତେ ଯେପରି ଗରୁଡଙ୍କ ମାତାଙ୍କୁ ଛଳରେ ଦାସୀ କରିଥିଲେ, ତାହା ହେଉଛି ଏହାର ଫଳାଫଳ। ଅମୃତ ଅଦୃଶ୍ୟ ହେବା ପରେ ସମସ୍ତ ସାପଙ୍କ ଅମର ହେବାର ଇଚ୍ଛା ମଉଳି ଯାଇଥିଲା।ସମସ୍ତେ ସେହି ଅମୃତ ରହିଥିବା କୁଶର ଆସନକୁ ଚାହିଁ ରହିଥିଲେ। ଏବଂ କିଛି ସମୟ ପରେ ସାପମନଙ୍କ ମନକୁ ଆସିଥିଲା ଯେ ହୁଏତ ଏହି କୁଶ ଆସନରେ ଅମୃତ ପଡିଥାଇପାରେ। ଏହା ଭାବି ସମସ୍ତ ସାପ କୁଶରେ ତିଆରି ଆସନକୁ ଚାଟିବାକୁ ଲାଗିଲେ, ଯାହାଫଳରେ ସମସ୍ତ ସର୍ପଙ୍କ ଜିଭ ମଝିରୁ ଫାଟି ଯାଇଥିଲା। ତେଣୁ ସେବେଠାରୁ ସପାଙ୍କ ଜିଭ ଏହିଭଳି ଦୁଇ ଫାଳ ହୋଇ ରହିଛି ବୋଲି କୁହାଯାଏ।