ପୁଣି ବହିଲା ୩୦ ବର୍ଷ ଧରି ଶୁଖିଲାପଡିଥିବା ଝରଣା, ଦେଖିବାକୁ ଛୁଟିଛି ଲୋକଙ୍କ ସୁଅ

0

ହରିୟାଣା ଜିଲ୍ଲାର ଫରିଦାବାଦରେ ହୋଇଛି ଆଶ୍ଚର୍ଯ୍ୟ। ଗତ ୩୦ ବର୍ଷ ହେଲା ଶୁଖିଲା ପଡିଥିବା ଆରାବଳୀ ପର୍ବତର ଏକ ଝରଣା ପୁଣି ଝରିବାକୁ ଲାଗିଛି। ଝରଣାରେ ପାଣି ଆସିବା ପରେ ଲୋକଙ୍କ ଧ୍ୟାନ ଏ ଆଡକୁ ଆସିଥିଲା। ଲୋକେ ଝରଣା ଦେଖିବାକୁ ଧାଡିବାନ୍ଧିଛନ୍ତି। ଝରଣା ପୁଣି ଝରିବା ପରେ ପ୍ରାକୃତିକ ସୌନ୍ଧର୍ଯ୍ୟ ମଧ୍ୟ ଫେରି ଆସିଛି। ଫଳରେ ଝରଣାର ମନୋରମ ଦୃଶ୍ୟ ଦେଖିବାକୁ ବିଭିନ୍ନ ଆଡୁ ଲୋକେ ଆସିବାରେ ଲାଗିଛନ୍ତି।

କୁହାଯାଏ ଏହି ଝରଣା ମହାଭାରତ କାଳୀନ। ପାଣ୍ଡବମାନେ ଯେତେବେଳେ ଇନ୍ଦ୍ରପ୍ରସ୍ତ ସ୍ଥାପନା କଲେ ଲଣ୍ଡାପାହାଡ ମାଳା ଆରାବଳୀରେ ସେମାନେ ତପୋ ବଳରେ ଅନେକ ଝରଣା ସୃଷ୍ଟି କରିଥିଲେ। ସେଥିରୁ ଏହା ଅନ୍ୟତମ ଓ ପ୍ରମୁଖ। ଏହି ଝରଣା ନିକଟରେ ଉଦାଳକ ଋଷିଙ୍କ ଆଶ୍ରମ ମଧ୍ୟ ରହିଛି। ଉଦାଳକ ମୁନୀ ଯେଉଁ ଗୁମ୍ଫାରେ ତପସ୍ୟା କରୁଥିଲେ ଆରାବଳୀ ପର୍ବତମାଳାରେ ଏବେବି ସେହି ଗୁମ୍ଫା ସେହିପରି ଅଛି। ତେବେ ଏଠାରେ ଝରଝର ନାଦ କରି ଝରୁଥିବା ଝରଣା କିଛି ଦିନ ଉଭେଇ ଯାଇଥିଲା, ଯାହା ଏବେ ଫେରିଆସିଛି।

୩୦ ବର୍ଷ ପୂର୍ବେ ଏହି ପରି ଝରଣା ଝରି ଚାଲିଥିଲା। ତେବେ ପାହାଡରେ ବେଆଇନ ଖନନ ଓ ବର୍ଷା ହ୍ରାସ ଧିରେଧିରେ ଝରଣାରୁ ଝର ବନ୍ଦ ହେବାରେ ଲାଗିଥିଲା। କ୍ରମେ ଏହା ଶୁଷ୍କ ହୋଇଯିବା ସହ ସତ୍ତା ମଧ୍ୟ ହରାଇଥିଲା। ଦୀର୍ଘ ବର୍ଷରେ ଲୋକେ ଝରଣାକୁ ମଧ୍ୟ ଭୁଲି ଯାଇଥିଲେ। ତେବେ ଏହି ପୌରାଣିକ ଝରଣାର ସ୍ରୋତ ଏବେ ଲୋକଙ୍କୁ କୌଣସି ଚମତ୍କାରଠାରୁ କମ ଲାଗୁ ନାହିଁ।

ଫରିଦାବାଦର ମୋହବତାବାଦ ଗାଁରେ ଏହି ପ୍ରାକୃତିକ ଝରଣାଟି ରହିଛି। ଚଳିତବର୍ଷ ମୌସୁମୀ ଉତ୍ତରଭାରତରେ ରେକର୍ଡ ବର୍ଷା ଦେଇଛି। ବର୍ଷା ପରେ ଝରଣାର ସ୍ରୋତ ଖୋଲିବା ଗ୍ରାବାସୀ ଓ ଏହି ଝରଣା ସମ୍ପର୍କରେ ଜାଣିଥିବା ଲୋକଙ୍କୁ ପୁଣି ନିଜ ଆଡକୁ ଆକର୍ଷିତ କରିଛି। ପ୍ରାକୃତିକ ଦୃଶ୍ୟ ଏହାକୁ ଏକ ପିକନିକ୍‌ ସ୍ପଟ୍ ର ରୂର ଦେଉଛି। ଏଣୁ ଆଗାମୀ ପର୍ଯ୍ୟଟନ ଋତୁକୁ ଲୋକେ ଏଠାରେ ଢେର ଉପଭୋଗ କରିବେ ବୋଲି ସ୍ଥାନୀୟ ଲୋକେ ଆଶାବ୍ୟକ୍ତ କରିଛନ୍ତି। ଯାହା କୋଭିଡ ଜନିତ ଆର୍ଥିକ ଦୁଃସ୍ଥିତିରେ ସ୍ଥାନୀୟ ଲୋକଙ୍କ ଲାଗି ବରଦାନ ହୋଇପାରେ ବୋଲି ସେମାନେ ଆଶା କରୁଛନ୍ତି।

Leave a comment