୧୮ରେ ଆଉ ଏକ ଲଘୁଚାପ, ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୧୮ ତାରିଖରୁ ରାଜ୍ୟରେ ଆଉ ଏକ ଲଘୁଚାପ ହେବ । ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଲଘୁଚାପରେ ପରିଣତ ହେବ । ଆସନ୍ତା ୧୦ ତାରିଖ ପରେ ଏହା ହେବ ସେପ୍ଟେମ୍ବର ମାସର ତୃତୀୟ ଲଘୁଚାପ । ଏହାଦ୍ୱାରା ସାରା ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗ ବିଜ୍ଞାନୀ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ।
ପ୍ରଥମେ ଶୁକ୍ରାବାର ଏକ ଲଘୁଚାପ ବଳୟ ହେବ । ଏହାର ପ୍ରଭାବରେ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ୧୧ରୁ ୧୩ ତାରିଖ ଭିତରେ ପ୍ରବଳ ବର୍ଷା ହୋଇପାରେ । ଆଗକୁ ବର୍ଷା ହେବାର ଥିବାରୁ ଖାଲି ପଡ଼ିଥିବା ଢିପ ଜମିରେ ପାଗ ଦେଖି ବର୍ତ୍ତମାନଠାରୁ ପ୍ରାକ୍ ରବି ଅଣ ଧାନ ଫସଲ ବୁଣାବୁଣି ଆରମ୍ଭ କରିବାକୁ ପ୍ରଫେସର ପଶୁପାଳନ ପରାମର୍ଶ ଦେଇଛନ୍ତି ।
ସାଧାରଣ ଭାବେ ସେପ୍ଟେମ୍ବର ମାସରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥାଏ । କିନ୍ତୁ ଚଳିତବର୍ଷ ଉତ୍ତର ବଙ୍ଗୋପସାଗରରେ ସେପ୍ଟେମ୍ବରରେ ଲଘୁଚାପ ହେବ । ଏହା ସାଧାରଣ ଭାବେ ସ୍ୱାଭାବିକ ନୁହେଁ । କିନ୍ତୁ ଲଘୁଚାପ ଯୋଗୁ ବର୍ଷା ହେଲେ ବି ରାଜ୍ୟରେ ଅଗଷ୍ଟ ମାସ ଯାଏ ହୋଇଥିବା ନିଅଣ୍ଟିଆ ବର୍ଷାର ପରିମାଣ ଭରଣା ହେବା ସମ୍ଭାବନା କମ୍ ବୋଲି ସେ କହିଛନ୍ତି ।
ସେପଟେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ କହୁଛି, ଆସନ୍ତା ୧୧ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ । ୧୧ ତାରିଖରେ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ୧୨ରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ସେହିଭଳି ଗଜପତି, ନୟାଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ବୌଦ୍ଧ ଓ କନ୍ଧମାଳରେ ପ୍ରବଳ ବର୍ଷା ହୋଇପାରେ । ୧୩ରେ କିଛି ଆଭ୍ୟନ୍ତରୀଣ ଓଡ଼ିଶା ଓ ଆଉ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ ହୋଇଛି ।