ଗଣତନ୍ତ୍ର ଦିବସରେ ଯୋଗଦେବେନାହିଁ ଟ୍ରମ୍ପ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ବର୍ଷ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିମନ୍ତ୍ରଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାତ୍ର ଆଜି ହ୍ୱାଇଟ ହାଉସ ମୁଖପାତ୍ର ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ‘ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ ‘। କାରଣ ପୂର୍ବରୁ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ଥିବାରୁ ଟ୍ରମ୍ପ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାରିବେ ନାହିଁ ବୋଲି ହ୍ୱାଇଟ ହାଉସ ତରଫରୁ ଏହା ସ୍ପଷ୍ଟ କରାଯାଇଛି ।
ପ୍ରତି ବର୍ଷ ଗଣତନ୍ତ୍ର ଦିବସ ଅବସରରେ ଭାରତ ବିଶ୍ୱ ନେତାଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରିଥାଏ । ଏଥର ମଧ୍ୟ ସେହି ପରମ୍ପରାକୁ ବଜାୟ ରଖିବାକୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଭାରତ ଓ ଋଷ ମଧ୍ୟରେ ଏସ୍ -୪୦୦ ଏୟାର ଡିଫେନ୍ସ ମିସାଇଲ ଡିଲ କୁ ନେଇ ଭାରତ ଓ ଆମେରିକା ମଧ୍ୟରେ ଆସିଥିବା ମତଭେଦ କୁ ନେଇ ଏହି ନିମନ୍ତ୍ରଣ କୁ ପ୍ରତ୍ୟାଖ୍ୟାନ କରାଯାଇଥିବା ଚର୍ଚ୍ଚା ଜୋର ଧରିଛି ।