କ୍ଲିନିକ୍ରେ ଚାଲିଥିଲା ବେଆଇନ୍ ଗର୍ଭପାତ, ୫ ଅଟକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବେଆଇନ ଗର୍ଭପାତ ଚାଲୁଥିବା ସମୟରେ ଚଢାଉ କଲା ପୋଲିସ୍ । କ୍ଲିନିକ୍ ମାଲିକ , କର୍ମଚାରୀ ସମେତ ୫ଜଣଙ୍କୁ ଅଟକ ରଖିଛି ନୟାଗଡ ଟାଉନ ଥାନା ପୋଲିସ । ନୟାଗଡ ଜିଲ୍ଲା ମୂଖ୍ଯ ଚିକିତ୍ସାଳୟର ପଛପାଖ ଏବଂ ଟାଉନ୍ ଥାନା ନିକଟରେ ରହିଥିବା ଆନନ୍ଦ ଭବନ କ୍ଲିନିକ୍ ରେ ଦୀର୍ଘ ଦିନ ହେବ ବେଆଇନ୍ ଗର୍ଭପାତ ଚାଲୁଥିବା ଅଭିଯୋଗ ହୋଇଆସୁଥିଲା ।
ଖବର ଅନୁଯାୟୀ, ଗତକାଲି ମଧ୍ୟ ରାତିରେ ଗର୍ଭପାତ ହେଉଥିବା ସମୟରେ ଟାଉନ ଥାନା ପୋଲିସ ଓ ସ୍ପେସିଆଲ ସ୍ୱାର୍ଡ ମିଶି କ୍ଲିନିକରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ଗର୍ଭପାତ କରିଥିବା ମହିଳା ଗର୍ଭପାତ ହୋଇଥିବା ଦୋଷ ସ୍ବୀକାର କରିଥିଲେ l ଏନେଇ ଟାଉନ ଥାନା ପୋଲିସ ପକ୍ଷରୁ କ୍ଲିନିକର ମାଲିକ ସତ୍ୟପ୍ରିୟ ସ୍ୱାଇଁ । ଗର୍ଭପାତ କରିଥିବା ମହିଳାଙ୍କ ସ୍ୱାମୀ ଗଣେଶ ପ୍ରଧାନ ଓ ୩ ସହଯୋଗୀ କର୍ମଚାରୀଙ୍କୁ ଅଟକ ରଖିଛି l
ଏହାପରେ ନୟାଗଡ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି କ୍ଲିନିକକୁ ସିଲ୍ କରିଛନ୍ତି । ଗତ କିଛି ବର୍ଷ ତଳେ ନିଉଜ୍ ସେଭେନ୍ ତରଫରୁ କରାଯାଇଥିବା ଷ୍ଟିଙ୍ଗ୍ ଅପରେସନ ସମୟରେ ଏହି କ୍ଲିନିକରେ ଗର୍ଭପାତ ହେଉଥିବା ଜଣାପଡିଥିଲା । ପରେ ଜିଲ୍ଲା ପ୍ରଶାସନ ଚଢାଉକରି କ୍ଲିନିକର ମାଲିକଙ୍କୁ ଗିରଫ କରିଥିଲା ।