ଜାକର୍ତ୍ତାରେ ବିମାନ ଦୁର୍ଘଟଣା, ୧୮୧ ଯାତ୍ରୀଙ୍କ ସହ ଦୁଇ ଜଣ ପାଇଲଟ୍ ଓ ୫ ଜଣ କ୍ୟାବିନ୍ ମେମ୍ବରଙ୍କ ମୃତ୍ୟୁ ଆଶଙ୍କା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସକାଳ ୬ଟା ୨୦ ମିନିଟ୍ରେ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରୁ ସୁମାତ୍ରାର ପଙ୍ଗକଲ୍ ପିନାଙ୍ଗ୍ କୁ ଉଡାଣ ଭରିଥିବା ଏକ ବିମାନ ୧୩ ମିନିଟ ପରେ ନିଖୋଜ ହୋଇଯାଇଥିଲା । ଏହି ବିମାନରେ ୧୮୧ ଜଣ ଯାତ୍ରୀ ଥିଲେ । ପରେ ବିମାନର ଭଗ୍ନାବଶେଷ ସମୁଦ୍ରରେ ଭାସୁଥିବା ଦେଖିବାକୁ ମିଳିଥିଲା । ଇଣ୍ଡୋନେସିଆର ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଏଜେନ୍ସୀର ମୁଖପାତ୍ର ୟୁସୁଫ୍ ଲତିଫ୍ ଏହା ସ୍ପଷ୍ଟ କରିଛନ୍ତି।
ସୂଚନା ଅନୁଯାୟୀ, ଲାୟନ ଏୟାର ପାସେଞ୍ଜରର ବିମାନ ୬ଟା ୨୦ ମିନିଟ୍ରେ ଜାକର୍ତ୍ତାରୁ ଉଡ଼ାଣ ଆରମ୍ଭ କରିଥିଲା । ମାତ୍ର ଉଡାଣ ଭରିବାର ୧୩ ମିନିଟ୍ ପରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ସହିତ ଏହାର ଯୋଗାଯୋଗ ବିଚ୍ଛିନ୍ନ ହେବାସହ ଏହା ନିଖୋଜ ହୋଇଯାଇଥିଲା । ବିମାନ ସହିତ ଯୋଗାଯୋଗ ବିଚ୍ଛିନ୍ନ ହେବା ସମୟରେ ଏହା ପ୍ରାୟ ୨୦୦୦ ଫୁଟ୍ ତଳକୁ ହଠାତ୍ ଖସି ଆସିଥିବା ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ପକ୍ଷରୁ ସୂଚନା ଦିଆଯାଇଛି । ବିମାନରେ ଦୁଇ ଜଣ ପାଇଲଟ୍ ଓ ୫ ଜଣ କ୍ୟାବିନ୍ ମେମ୍ବର ଓ ୧୮୧ ଜଣ ଯାତ୍ରୀ ଥିଲେ । ଯାତ୍ରୀଙ୍କ ମଧ୍ୟରେ ଦୁଇ ଜଣ ନବଜାତ ଶିଶୁ ମଧ୍ୟ ଥିଲେ ।ସମୁଦ୍ରରେ ବିମାନର କିଛି କିଛି ଅଂଶ ଭାସୁଥିବା ଦେଖିବାକୁ ମିଳିଛି।