ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ବିରୋଧରେ ସୋନିଆ ଗାନ୍ଧିଙ୍କୁ ଭେଟିବେ କଂଗ୍ରେସ ନେତା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଜାବରେ ରାଜନୀତି ସରଗରମ ହେବାରେ ଲାଗିଛି । ରାଜନୀତି ଶାସକ ଏବଂ ବିରୋଧୀ ମଧ୍ୟରେ ନୁହେଁ ବରଂ କ୍ଷମତାରେ ଥିବା ଦୁଇ ଶାସକ ଗୋଷ୍ଠୀ ମଧ୍ୟରେ । ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହଙ୍କ ବିରୋଧରେ ଏକଜୁଟ ହୋଇଛନ୍ତି ନବଜୋତ ସିଂହ ସିଦ୍ଧୁଙ୍କ ଗୋଷ୍ଠୀ । ପରିସ୍ଥିତି ଏମିତି ହୋଇଛି ଯେ, ପଞ୍ଜାବରେ କ୍ୟାପଟେନ୍‌ ସରକାରର ୩ ଜଣ ମନ୍ତ୍ରୀ ଏବଂ ପ୍ରାୟ ୨୦ ବିଧାୟକ, ଗ୍ରାମୀଣ ବିକାଶ ମନ୍ତ୍ରୀ ତୃପ୍ତ ରାଜିନ୍ଦର ବାଜଓ୍ବାଙ୍କ ଘରେ ଏକାଠି ହୋଇଥିବା ସୂଚନା ମିଳିଛି ।

ପଞ୍ଜାବ କଂଗ୍ରେସର ଏକ ଟିମ ଆଜି ହିଁ ଦଳର ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯିବେ । ଅମରିନ୍ଦର ସିଂହଙ୍କ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଥିବା ସୁଖଜିନ୍ଦର ରାନ୍ଧଓ୍ବା, ସୁଖବିନ୍ଦର ସରକାରିୟା, ତୃପ୍ତରଜିନ୍ଦର ବାଜଓ୍ବା, ଚରଣଜିତ ଚନ୍ନୀ ଏବଂ ମହାସଚିବ ପରଗଟ ସିଂହ ଯିବେ । ମିଳିଥିବା ଖବର ଅନୁଯାୟୀ ପଞ୍ଜାବ କଂଗ୍ରେସର ୫ ଜଣ ମନ୍ତ୍ରୀ ଇସ୍ତଫା ମଧ୍ୟ ଦେଇପାରନ୍ତି ।

ସୂଚନା ମୁତାବକ, ତୃପ୍ତ ରାଜିନ୍ଦର ବାଜଓ୍ବାଙ୍କ ଘରେ ୩ ଜଣ ମନ୍ତ୍ରୀ ଏବଂ ୨୦ ଜଣ କଂଗ୍ରେସ ବିଧାୟକଙ୍କ ଏକ ବୈଠକ ପ୍ରାୟ ୨ ଘଣ୍ଟା ଧରି ଜାରି ରହିଥିଲା । ବୈଠକରେ ରାଜ୍ୟ କଂଗ୍ରେସର ସ୍ଥିତି କିଭଳି ରହିଛି ସେ ନେଇ ଆଲୋଚନା ହୋଇଥିଲା । ଦଳ ପୂର୍ବରୁ ଯେମିତି ଥିଲା ଆଜି ବି ସେହିଠା​‌ରେ ହିଁ ଅଛି ବୋଲି ଜଣେ ବରିଷ୍ଠ ନେତା କହିଥିଲେ । ଆଗକୁ ନିର୍ବାଚନ ଥିବାରୁ ଦଳ ଲୋକଙ୍କ ଆସ୍ଥା ହରାଇବାକୁ ବସିଲାଣି । ତେଣୁ ଏହାକୁ ତୁରନ୍ତ ଗୁରୁତର ସହ ନିଆଯିବା ଆବଶ୍ୟକ ।

ଆଜିର ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଲାଣି । ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକିଥିବା ବେଳେ ପଞ୍ଜାବ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଦଳର ହାଇକମାଣ୍ଡଙ୍କ ଚିନ୍ତା ବଢାଇଦେଇଛି । ନିର୍ବାଚନ ପୂର୍ବରୁ ହିଁ ମୁଖ୍ୟମନ୍ତ୍ରୀ ବଦଳିବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଗଲାଣି । ତେବେ କ୍ୟାପଟେନ୍‌ ଅମରିନ୍ଦର ସିଂହ ଆସନ୍ତା ନିର୍ବାଚନ ଯାଏଁ ମୁଖ୍ୟମନ୍ତ୍ରୀ ପଦରେ ରହିବେ ନା ନିର୍ବାଚନ ପୂର୍ବରୁ ହିଁ ଆଉ କାହାକୁ ଦଳ ମୁଖ୍ୟମନ୍ତ୍ରୀ ଆସନରେ ବସାଇବ ତାହାକୁ ନେଇ ସସ୍‌ପେନ୍ସ ଲାଗି ରହିଛି ।

ତେବେ ଦଳର ହାଇକମାଣ୍ଡଙ୍କୁ ଫେରାଦ ହେବାକୁ ଥିବା ଏହି ଗୋଷ୍ଠୀ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ଗୋଷ୍ଠୀ ନୁହେଁ ବରଂ କ୍ୟାପଟେନ୍‌ ଅମରିନ୍ଦର ସିଂହଙ୍କ ଆଉ ଏକ ବିରୋଧୀ ଗୋଷ୍ଠୀ । ଅର୍ଥାତ ପଞ୍ଜାବ କଂଗ୍ରେସ ଏବେ ୨ ଫାଳ ନୁହେଁ ବରଂ ୩ ଫାଳ ହୋଇସାରିଲାଣି । ସିଦ୍ଧୁଙ୍କ ଗୋଷ୍ଠୀ ବାରମ୍ବାର କ୍ୟାପଟେନ୍‌ଙ୍କ ଗୋଷ୍ଠୀକୁ ଟାର୍ଗେଟ୍‌ କରିଆସୁଥିଲେ । କିନ୍ତୁ ଏହାରି ମଧ୍ୟରେ ପଞ୍ଜାବ କ୍ୟାବିନେଟ୍‌ର ଆଉ କିଛି ମନ୍ତ୍ରୀ ଏବେ ଦଳୀୟ ହାଇକମାଣ୍ଡଙ୍କୁ ଭେଟିବାକୁ ଦିଲ୍ଲୀ ଯିବାକୁ ପ୍ରସ୍ତୁତ ହୋଇଛନ୍ତି । ସିଦ୍ଧୁଙ୍କ ବ୍ୟତିତ ପଞ୍ଜାବ କଂଗ୍ରେସରେ ଏବେ ଆଉ ଏକ ଗୋଷ୍ଠୀ କ୍ୟାପଟେନ୍‌ଙ୍କୁ ଚୌକିରୁ ହଟାଇବାକୁ ଲାଗିପଡିଛନ୍ତି । ତେବେ ପଞ୍ଜାବ କଂଗ୍ରେସ କନ୍ଦଳ ଆଗକୁ କେଉଁ ମୋଡ ନେଉଛି ତାହା ଦେଖିବା ବାକି ରହିଲା ।

Leave a comment