ହସ୍ପିଟାଲରେ ଭର୍ତ୍ତି ହେବାବେଳକୁ ମୋ ଭାଇ କଥା ହେଉଥିବା କଥା ମିଛ… ଏମିତି କହିଲେ ସୌମ୍ୟଙ୍କ ଭାଇ ରଞ୍ଜନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଏସିଏଫଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡା ଓ ପାରଳାଖେମୁଣ୍ଡି ଆଇଆଇସି ବିବେକାନନ୍ଦ ସ୍ବାଇଁଙ୍କୁ ଜେରା କରିଛି । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ମୃତ ସୌମ୍ୟଙ୍କ ଭାଇ ରଞ୍ଜନ । ମୂଳରୁ ସୌମ୍ୟଙ୍କ ପରିବାର ଅଭିଯୋଗ କରିଥିଲେ ମମତାଙ୍କର ଘଟଣାରେ ସମ୍ପୃକ୍ତି ରହିଥିଲା । ସେ କହିଛନ୍ତି ମୋ ଭାଇକୁ ହସ୍ପିଟାଲରେ ଭର୍ତ୍ତି କରିବାବେଳେ କଥା ହେଉଥିବାର ଡାକ୍ତର କହୁଛନ୍ତି । ଡାକ୍ତର କିନ୍ତୁ ମିଛ କଥା କହୁଛନ୍ତି । କିଏ ଦେଖିଥିଲା ମୋ ଭାଇ ସେତେବେଳେ କଥା ହେଉଥିଲା ବୋଲି କହିଛନ୍ତି ରଞ୍ଜନ । ସୌମ୍ୟ ଦେଇଥିବା ମୃତ୍ୟୁକାଳୀନ ଜମାନବନ୍ଦୀ ମିଛ । ସେ କଥା ହେଉନଥିଲା । ଡାକ୍ତର ବ୍ରହ୍ମପୁର ପଠାଉଥିବା ବେଳେ କଟକ ନେବା ପାଇଁ କିଏ ନିଷ୍ପତ୍ତି ନେଲା । ମୋ ଭାଇ କଟକ, ଭାଇଜାଗ କେଉଁଠିକି ଯିବ ନିଷ୍ପତ୍ତି ଆମେ ନେବା କଥା । ସେମାନେ କାହିଁକି ନିଷ୍ପତ୍ତି ନେଲେ ।
ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀରେ ମମତା ପଣ୍ଡା ଓ ବିଦ୍ୟାଭାରତୀଙ୍କର ହାତ ରହିଛି । ସୌମ୍ୟ ଯାଉଥିବା ଆମ୍ବୁଲାନ୍ସକୁ ବାଟରେ ୫ଥର ଅଟକାଯାଇଛି । ଗେଟ୍ ପାଖରେ ଅଧ ଘଣ୍ଟା, ବ୍ରହ୍ମପୁରରେ ଅଧଘଣ୍ଟା ଅଟକାଯାଇଛି । ଯାହା ପ୍ରମାଣ ଅଛି କୋର୍ଟରେ ଉପସ୍ଥାପନା କରିବୁ । ସୁପ୍ରିମକୋର୍ଟ ନିୟମ ଅଛି ଜମାନବନ୍ଦୀ ନେଲାବେଳେ ମାଜିଷ୍ଟ୍ରେଟ ଉପସ୍ଥିତରେ ଭିଡ଼ିଓ ରେକର୍ଡ ହେବା କଥା । ପରିବାର ଲୋକ ଉପସ୍ଥିତ ରହିବା କଥା । ଏସବୁକୁ ଭୁଲିଗଲେ କେମିତି । ବଡ ବଡ ଲୋକ, ସରକାରୀ କର୍ମଚାରୀ ଉପସ୍ଥିତ ଥାଇ ପରିବାର ଲୋକଙ୍କୁ ଭୁଲିଗଲେ କେମିତି ବୋଲି ରଞ୍ଜନ ପ୍ରଶ୍ନ ଉଠାଇଛନ୍ତି ।