ଅଗଷ୍ଟ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ଅନ୍ତର୍ଜାତୀୟ ବ୍ୟବସାୟିକ ବିମାନ ଚଳାଚଳ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶରେ କରୋନା ମହାମାରୀର ୨ୟ ଲହରକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ସେବା ଉପରେ ଲାଗୁ କଟକଣାକୁ ଆଉ ଏକ ମାସ ପାଇଁ ବଢାଇ ଦିଆଯାଇଛି । ପୂର୍ବରୁ ଜାରି କଟକଣା ଜୁଲାଇ ୩୧ରେ ସମାପ୍ତ ହେଉଥିବାବେଳେ ତାହାକୁ ଆସନ୍ତା ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ।
ଶୁକ୍ରବାର ବେସାମରିକ ବିମାନଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଜାରି ସର୍କୁଲାର ଅନୁସାରେ ଭାରତରୁ ଚଳାଚଳ କରୁଥିବା ଅନ୍ତର୍ଜାତୀୟ ବିମାନ ଚଳାଚଳ ଅଗଷ୍ଟ ୩୧ ରାତି ୧୧ଟା ୫୯ ମିନିଟ୍ ପର୍ଯ୍ୟନ୍ତ ବନ୍ଦ ରହିବ । ତେବେ କେତେକ ସ୍ବତନ୍ତ୍ର କ୍ଷେତ୍ରରେ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ଅନୁମତି ଦିଆଯାଇପାରିବ । ଦେଶରେ କରୋନା ସଂକ୍ରମଣ ବ୍ୟାପିବା ପରେ ଗତ ବର୍ଷ ମାର୍ଚ୍ଚ ୨୩ରୁ ଭାରତରୁ ଅନ୍ତର୍ଜାତୀୟ ସିଡ୍ୟୁଲଡ୍ ବିମାନ ଚଳାଚଳ ବନ୍ଦ ରହିଛି ।