ଐତିହାସିକ ସିଂହନାଥ ଶୈବପୀଠର ଦର୍ଶନ ନିମନ୍ତେ ଅନ୍ତିମ ପର୍ଯ୍ୟାୟରେ ସେତୁ ନିର୍ମାଣ, ଦୁଇ ବିଧାୟକଙ୍କ ପରିଦର୍ଶନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଟକ, ବଡ଼ମ୍ବା ବ୍ଲକ ସ୍ଥିତ ପ୍ରସିଦ୍ଧ ସିଂହନାଥ ଶୈବପୀଠର ଦର୍ଶନ ନିମନ୍ତେ ଅନ୍ତିମ ପର୍ଯ୍ୟାୟରେ ସେତୁ ନିର୍ମାଣ । ଏହା ଗୋପୀନାଥପୁର ଏବଂ ବାଙ୍କୀ ବୈଦ୍ୟେଶ୍ୱରକୁ ସଂଯୋଗ କରୁଥିବା ମହାନଦୀ ଉପରେ ଦୀର୍ଘତମ ସେତୁ । ଏହି ନୂତନ ସେତୁର ନିର୍ମାଣ କାର୍ଯ୍ୟ ଶେଷ ହୋଇ ଏହା ସଜେଇ ହୋଇ ସାରିଥିବା ବେଳେ କେବଳ ଏହି ସେତୁରୁ ବାଙ୍କୀ ବୈଦ୍ୟେଶ୍ୱରକୁ ସଂଯୋଗ କରୁଥିବା ରାସ୍ତା ଆଉ ମାତ୍ର କିଛି ମାସରେ ଶେଷ ହେବ ବୋଲି ଜଣାଯାଇଛି। ଫଳ ସ୍ୱରୁପ ବଡ଼ମ୍ବା ଏବଂ ବାଙ୍କୀ ଉଭୟ ଜନସାଧାରଣଙ୍କ ବହୁଦିନର ପ୍ରତିକ୍ଷାର ଅନ୍ତ ଘଟିବାର ସମ୍ଭାବନା ସୃଷ୍ଟି ହୋଇଛି।

ସେହିଭଳି ମହାନଦୀ ବକ୍ଷସ୍ଥଳରେ ଅବସ୍ଥିତ ଐତିହାସିକ ସିଂହନାଥ ଶୈବପୀଠର କିଭଳି ପ୍ରଥମ କରି ରାସ୍ତାରେ ସୁବିଧାରେ ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକ ଦର୍ଶନ ଲାଭ କରିବେ ସେଥିପାଇଁ ମଧ୍ୟ ତତ୍ପରତା ପ୍ରକାଶ ପାଇଛି । ଗୁରୁବାର ଏନେଇ ଉଭୟ ବଡ଼ମ୍ବା ଏବଂ ବାଙ୍କୀ ବିଧାୟକ ଏକ ଉଚ୍ଚ ବୈଷୟିକ ପ୍ରତିନିଧି ଦଳ ସହିତ ନବନିର୍ମିତ ସେତୁ ବୁଲି ଦେଖିବା ସହ ସିଂହନାଥ ପୀଠ ଏବଂ ଏହାର ପାରିପାର୍ଶ୍ବିକ ଉନ୍ନତି ସମ୍ପର୍କରେ ଆଲୋଚନା ଓ ବିଚାରବିମର୍ଷ କରିଥିଲେ।

ବଡ଼ମ୍ବା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ଏବଂ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ସହିତ ରାଜ୍ୟ ନିର୍ମାଣ ବିଭାଗ ସ୍ୱତନ୍ତ୍ର ସଚିବ ମନୋରଞ୍ଜନ ମିଶ୍ର, ପୂର୍ତ୍ତ ସଚିବ କ୍ରିଷନ କୁମାର, ବିଭାଗୀୟ ଅତିରିକ୍ତ ସଚିବ ଧ୍ୟାନଚାନ୍ଦ ନାୟକ, ବିଶ୍ୱବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାମକ୍ରୀଷ୍ଣ ମହାରଣା ପ୍ରମୁଖ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ଉଦ୍ୟମରୁ ପ୍ରାୟ ୧୩୨ କୋଟି ଟଙ୍କାର ଖର୍ଚ୍ଚ ଅଟକଳରେ ନିର୍ମିତ ମହାନଦୀ ଉପରେ ଏହି ଦୀର୍ଘତମ ଇଂରାଜୀ ଟି ଅକ୍ଷର ଆକୃତିର ୩କି.ମିରୁ ଅଧିକ ଦୈର୍ଘ୍ୟ ବିଶିଷ୍ଟ ସେତୁ ।

କିଛି ଦିନ ପୂର୍ବରୁ କଟକ ଜିଲାପାଳ ଭବାନୀଶଙ୍କର ଚୟିନୀ, ଆଠଗଡ଼ ଉପଜିଲାପାଳ ଅଜାମ୍ବର ମହାନ୍ତିଙ୍କ ସହିତ ଜିଲା ପ୍ରଶାସନର ପ୍ରମୁଖ ଅଧିକାରୀ ବଡ଼ମ୍ବା ବିଧାୟକ ଶ୍ରୀ ମିଶ୍ରଙ୍କ ସହିତ ଉକ୍ତସ୍ଥାନ ପରିଦର୍ଶନରେ ଆସି ସେତୁକୁ ସଂଯୋଗ କରୁଥିବା ବୈଦ୍ୟେଶ୍ୱର ରାସ୍ତା କିଭଳି ଶିଘ୍ର ସମ୍ପୂର୍ଣ୍ଣ ହେବ ଏବଂ ସିଂହନାଥପୀଠର ଆବଶ୍ୟକ ଉନ୍ନତି କରଣ ଉପରେ ଅନୁଧ୍ୟାନ କରି ଫେରିଥିବା ଜଣାଯଇଛି। ମୁଖ୍ୟତଃ ସେତୁକାମ ଶିଘ୍ର ସମ୍ପୂର୍ଣ୍ଣ ହେବା, ସିଂହନାଥପୀଠ ତଥା ସେତୁ ବିଦ୍ୟୁତକରଣ ଓ ଆଲୋକିକରଣ, ଆଗନ୍ତୁକ ପର୍ଯ୍ୟଟକଙ୍କ ପାଇଁ ବ୍ୟାଟେରୀ ଚାଳିତ ଗାଡ଼ି, ବୟୋବୃଦ୍ଧ ଏବଂ ଭିନ୍ନକ୍ଷମଙ୍କ ପାଇଁ ସେତୁରୁ ର‍୍ୟାମ୍ପ ସୁବିଧା, ରହିବା ସୁବିଧା, ପାନୀୟଜଳ ସୁବିଧା, ଗାଡ଼ି ପାର୍କିଂ ଏବଂ ମନ୍ଦିର ସେବାୟତଙ୍କ ଦୈନନ୍ଦିନ ଯିବା ଆସିବା ଆଦି ବିଭିନ୍ନ ପ୍ରମୁଖ ପ୍ରସଙ୍ଗ ଉପରେ ଦୁଇ ବିଧାୟକଙ୍କ ଉପସ୍ଥିତିରେ ସ୍ଥାନୀୟ ଲୋକ, ଜନପ୍ରତିନିଧି,ସେବାୟତଙ୍କ ଉପସ୍ଥିତିରେ ଏହି ଉଚ୍ଚପ୍ରତିନିଧି ଦଳ ଗୁରବାର କ୍ଷେତ୍ର ପରିଦର୍ଶନ ପୂର୍ବକ ଆଲୋଚନା କରିଥିଲେ।

Leave a comment