ACFO ସୌମ୍ୟଙ୍କ ମୃତ୍ୟୁ ପରେ ବିଦ୍ୟାଭାରତୀଙ୍କ ମନରେ ନଥିଲା ଦୁଃଖ, ଡ୍ରାଇଭର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ଗୋଟିଏ ପରେ ଗୋଟିଏ ନୂଆ ଖିଅ ପଦାକୁ ଆସିବାରେ ଲାଗିଛି । ସୌମ୍ୟଙ୍କ ମୃତ୍ୟୁ ଘଟଣା ଅଡୁଆ ସୂତା ପରି ଗୁଡାଇ ହେବାରେ ଲାଗିଥିବା ବେଳେ ଡ୍ରାଇଭର ବଖାଣିଛନ୍ତି ସେହି ରାତିର କଥା । ଇଏ ହେଉଛନ୍ତି ସେଇ ଡ୍ରାଇଭର ଯିଏ ଘଟଣା ଦିନ ବିଦ୍ୟାଭାରତୀଙ୍କ ମାଆ ଏବଂ ବାପାଙ୍କୁ ନେଇ କଟକ ଏସସିବିକୁ ଯାଇଥିଲେ । ସେଠାରୁ ବିଦ୍ୟାଭାରତୀଙ୍କୁ ସାଙ୍ଗରେ ନେଇ ଗୌଡଗାଁ ଫେରିଥିଲେ । ନ କହି ନ କହି ଅନେକ କଥା କହିଯାଇଛନ୍ତି ଡ୍ରାଇଭର ଦିବାକର ମହାପାତ୍ର ।
ତାଙ୍କ କହିବା ଅନୁସାରେ ସେଦିନ ରାତି ସାଢେ ୯ଟାରେ ସେ କପ୍ତିପଦାରୁ ବାହାରି ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିବା ବେଳେ ରାତି ପ୍ରାୟ ୨ଟା ବେଳେ ଭୁବନେଶ୍ବରରୁ ସେମାନେ ଫେରିଥିଲେ କଟକ ଏସସିବିକୁ । କଟକ ଏସସିବିରେ ପହଞ୍ଚିବା ପରେ ସେଠାରେ ସୌମ୍ୟରଞ୍ଜନ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ । କିନ୍ତୁ ସେଠାରୁ ତାଙ୍କୁ କଟକ ଅଶ୍ବିନୀ ହସ୍ପିଟାଲ ନେବା ପାଇଁ ଉଭୟ ପରିବାର ଲୋକେ କଥା ହେଉଥିବା ଉକ୍ତ ଡ୍ରାଇଭର କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଘଟଣା ଘଟିବା ଦିନ ସେଠାରେ ଯିଏ ଉପସ୍ଥିତ ଥିଲେ ତାଙ୍କୁ ପଚରାଉଚରା କରାଯିବା ପରିବର୍ତ୍ତେ ମୋତେ କ’ଣ ପାଇଁ ପଚାରୁଛନ୍ତି । ଦୋଷୀକୁ ଦେଖିଲେ ତା ମୁହଁରୁ ଜଣାପଡିଯିବ ସିଏ ଦୋଷ କରିଛି କି ନାହିଁ । ପୋଲିସ ଏଣେତେଣେ ତଦନ୍ତ କରୁଛି । ମୁଁ ଯଦି କିଛି କହିବି ତେବେ ପୋଲିସ ଅଭିଯୁକ୍ତକୁ ଧରିଦେବ ବୋଲି ପ୍ରତିଶ୍ରୁତି ଦେଲେ ମୁଁ ଅନେକ କଥା କହିବି । ଏହା ସହିତ ସେଦିନ ଘଟଣା ଘଟିବା ବେଳେ ଯେଉଁମାନେ ଥିଲେ ସେମାନଙ୍କୁ ପଚରାଉଚରା କରିଲେ ମୁଖ୍ୟ ଅଭିଯୁକ୍ତ କିଏ ବାହାରିପଡିବ । ହେଲେ ପୋଲିସ ତା ମନଇଚ୍ଛା ତଦନ୍ତ କରୁଛି ।
ସବୁପରେ ସେଦିନ ରାତି ପ୍ରାୟ ୨ଟାରୁ ୩ଟା ସମୟରେ ଗାଡି ଏସସିବିରେ ପହଞ୍ଚିଥିବା ବେଳେ ସେଠାରେ ଯେତେବେଳେ ସୌମ୍ୟଙ୍କ ମୃତ୍ୟୁ ଘୋଷଣା ହେଲା ଦିନ ପ୍ରାୟ ୧୧ଟା ପାଖାପାଖି ବିଦ୍ୟାଭାରତୀଙ୍କୁ ସାଙ୍ଗରେ ଧରି ତାଙ୍କ ବାପା-ମାଆ ଫେରି ଆସିଥିଲେ ଗୌଡଗାଁ । ହେଲେ ରାସ୍ତାରେ ଆସିବା ସମୟରେ ବିଦ୍ୟାଭାରତୀଙ୍କ ମନରେ କୌଣସି ଦୁଃଖ ନ ଥିବା କଥା କହିଛନ୍ତି ଡ୍ରାଇଭର । କ୍ୟାମେରା ସାମ୍ନାରେ ସବୁ କଥା କହିବାକୁ ନାରାଜ ହୋଇଥିବା ବେଳେ କ୍ୟାମେରା ପଛରେ କିନ୍ତୁ ନ କହି ନ କହି ଅନେକ କଥା କହି ଦେଇଛନ୍ତି ସେ । ଡ୍ରାଇଭରଙ୍କ କଥାକୁ ଶୁଣିଲେ ବିଦ୍ୟାଭାରତୀ ଏବଂ ତାଙ୍କ ପରିବାର ଲୋକଙ୍କ ଉପରେ ସନ୍ଦେହ ଅଧିକ ଦୃଢୀଭୂତ ହେଉଛି ।

Leave a comment