ଚାକିରିରୁ ଇସ୍ତଫା ଦେଇ ତୁମ ଚାକର ହୋଇ ରହିବି : ସୌମ୍ୟରଞ୍ଜନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): “ମୁଁ ଚାକିରିରୁ ଇସ୍ତଫା ଦେଇ ଦେବି। ମୁଁ ତୁମର ଚାକର ହୋଇ ରହିବି। କିନ୍ତୁ ମୋତେ ତୁମ ପାଦ ତଳେ ଟିକେ ଜାଗା ଦିଅ।” ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ୧୧ ଦିନ ବିତିବାକୁ ବସିଥିବା ବେଳେ ତାଙ୍କ ଡାଏରୀରୁ ମିଳିଛି ଏପରି ଚାଞ୍ଚଲ୍ୟକର ତଥ୍ୟ। ସୌମ୍ୟଙ୍କ ପରିବାରର ଓକିଲ ଗଣମାଧ୍ୟମ ସମ୍ମୁଖକୁ ଆଣିଛନ୍ତି ଏହି ଡାଏରୀ। କେବଳ ଏତିକି ନୁହେଁ, ଆଉ କିଛି ପୃଷ୍ଠାରେ ଆହୁରି କିଛି ଲେଖାଯାଇଛି, ଯେଉଁଥିରୁ ସୌମ୍ୟଙ୍କ ବୈବାହିକ ଜୀବନ ଠିକ୍ଠାକ୍ ଚାଲି ନଥିଲା ବୋଲି ଜଣାପଡ଼ିଛି। ଏହି ଡାଏରୀର ଆଉ ଏକ ପୃଷ୍ଠାରେ ଲେଖା ହୋଇଛି- ‘ମୁଁ ତୁମର କ୍ୱାଲିଫିକେସନ୍ ଚାହେଁ ନାହିଁ। ମୁଁ କେବେ ବି ଏ ବାବଦରେ ତୁମକୁ କିଛି କହିବି ନାହିଁ। ମୁଁ କେବଳ ଚାହେଁ ତୁମେ ମୋର ପତ୍ନୀ ଓ ଜଣେ ଭଲ ବନ୍ଧୁ ହୋଇ ରୁହ’।
ସୌମ୍ୟଙ୍କ ଡାଏରୀରେ ଆହୁରି ଲେଖାଯାଇଛି- ‘ତୁମେ ଯାହା ଚାହିଁବ ମୁଁ ସେ ବ୍ୟବସ୍ଥା କରିଦେବି। ଏହା ପରେ ଯଦି କିଛି ଘଟେ ମୋର କିଛି କରିବାର ନାହିଁ। ମୁଁ କିଛି କହିବି ନାହିଁ। ସେ ଯାହା ନିଷ୍ପତ୍ତି ନେବ ସ୍ୱାଧୀନ ଭାବେ ନେଇ ପାରିବ। ଯଦି ମୁଁ ବାଧା ଦିଏ, ସିଏ ମୋ ନାଁରେ ଘରୋଇ ହିଂସା ମାମଲା କରିପାରେ।”
୨୦୨୧ ଫେବୃଆରୀ ୨୨ ଓ ୨୩ ତାରିଖରେ ସୌମ୍ୟ ତାଙ୍କ ଡାଏରୀରେ ଏସବୁ କଥା ଲେଖିଛନ୍ତି। ଗୋଟିଏ ପଟେ ବିଦ୍ୟାଙ୍କ ଚିଠି ତାଙ୍କ ମନରେ ସୌମ୍ୟଙ୍କ ପ୍ରତି ଥିବା ଘୃଣାଭାବକୁ ସୂଚାଇ ଥିବା ବେଳେ ଉଭୟଙ୍କ ଦାମ୍ପତ୍ୟ ଜୀବନରେ ସବୁ କିଛି ଠିକ୍ ନ ଥିବା ତଥା ପାରିବାରିକ ଅଶାନ୍ତି ଲାଗି ରହିଥିବା ସୂଚାଉଛି ସୌମ୍ୟଙ୍କ ଡାଏରୀ।