ସୁବର୍ଣ୍ଣ ଆଭୂଷଣରେ ସଜ୍ଜିତ ହୋଇ ସୁନାବେଶରେ ଦର୍ଶନ ଦେଲେ ଶ୍ରୀଜୀଉ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହଣ ମହଣ ସୁବର୍ଣ୍ଣ ଆଭୂଷଣରେ ସଜ୍ଜିତ ହୋଇ ସୁନାବେଶରେ ରଥ ଉପରେ ଦର୍ଶନ ଦେଇଛନ୍ତି ଶ୍ରୀଜିଉ । କିନ୍ତୁ ଚଳିତ ବର୍ଷ ମଧ୍ୟ କେହି ଭକ୍ତ ଭଗବାନଙ୍କୁ ପୁରୀ ଯାଇ ଦର୍ଶନ କରି ପାରିନାହାନ୍ତି । କରୋନା କଟକଣା ମଧ୍ୟରେ ଠାକୁରଙ୍କ ସୁନା ବେଶ ଅନୁଷ୍ଠିତ ହୋଇଛି । ମହାପ୍ରଭୁଙ୍କ ସୁନାବେଶ ଦେଖିବା ପାଇଁ ପ୍ରତିବର୍ଷ ଶ୍ରୀକ୍ଷେତ୍ରରେ ଅଗଣିତ ଭକ୍ତଙ୍କ ସମାଗମ ହୋଇଥାଏ, ମାତ୍ର କୋଭିଡ୍ କଟକଣା ଯୋଗୁଁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଡ଼ଦାଣ୍ଡକୁ ଯାଇନାହାନ୍ତି ଶ୍ରଦ୍ଧାଳୁ ।
ଭକ୍ତମାନେ ଟେଲିଭିଜନ ମାଧ୍ୟମରେ ଘରେ ରହି ଏ ଦୁର୍ଲଭ ବେଶ ଦର୍ଶନ କରୁଛନ୍ତି । ତେବେ ଏଥର ସୁନାବେଶରେ କିରିଟି ଗୁଡିକ ନୂଆ କରାଯାଇଛି । ସୁନାବେଶ ଆରମ୍ଭ ହେବା ପୂର୍ବରୁ କଡା ସୁରକ୍ଷା ବଳୟ ମଧ୍ୟରେ ମହାପ୍ରଭୁଙ୍କ ଦୁଇ ମହଣ ସୁନା ଅଳଙ୍କାର ଗୁଡିକୁ ଗୋଟିଏ ପରେ ଗୋଟିଏ ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ରଥ ଉପରକୁ ଅଣାଯାଇଥିଲା । ନୀତି ନିର୍ଘଣ୍ଟ ଅନୁଯାୟୀ ଆରମ୍ଭ ହୋଇଥିଲା ସୁନା ଅଳଙ୍କାର ଆଣିବା କାର୍ଯ୍ୟ । ପ୍ରାୟ ଏକ କୁଇଣ୍ଟାଲ ସୁନା ଅଳଙ୍କାର ଅଣାଯାଇଥିଲା । ତାପରେ ଆରମ୍ଭ ହୋଇଥିଲା ଜଗତକର୍ତ୍ତାଙ୍କ ସୁନାବେଶ ।
ଶ୍ରୀବଳଭଦ୍ରଙ୍କୁ ଶ୍ରୀପୟର, ଶ୍ରୀଭୁଜ, କିରିଟି, ଘାଗଡାମାଳି, କଦମ୍ବମାଳି, କୁଣ୍ଡଳ, ଆଡକାନି, ଚନ୍ଦ୍ରିକା ଆଦିରେ ବେଶ କରାଯାଇଥିଲା । ସେହିପରି ଦେବୀ ସୁଭଦ୍ରା କିରିଟି, ଓଡିଆଣି, କାନ, ତଗଡି, ସେବତୀ ମାଳି, ଘାଗଡା ମାଳି, କଦମ୍ବ ମାଳି ଆଦି ପରିଧାନ କରିଛନ୍ତି ।
ସେହିଭଳି ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀପୟର, ଶ୍ରୀଭୁଜ, କିରିଟି ଆଦି ସୁନାଅଳଙ୍କାର ସହ ସ୍ୱର୍ଣ୍ଣ ଚକ୍ର, ରୌପ୍ୟ ଶଙ୍ଖ ପରିଧାନ କରି ଭକ୍ତଙ୍କୁ ରଥ ଉପରେ ବଡଚଢାଉ ବେଶରେ ଦର୍ଶନ ଦେଇଛନ୍ତି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ପୁରୀ ସହରରେ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି । ଆଜି ସୁନାବେଶ ପରେ ଆସନ୍ତାକାଲି ହେବ ଅଧରପଣା ନୀତି । ରଥ ଉପରେ ବନ୍ଦାପନା ପରେ ୩ ରଥରେ ଅଧରପଣା ନୀତି କରାଯିବ ।