ବାହୁଡ଼ିଲେ କଳାଶ୍ରୀମୁଖ । ଭକ୍ତିରେ, ବର୍ଷାରେ ଭିଜିଲେ ପ୍ରଶାସକ, ସେବକ ହୋଇ ଏକ।

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସେ ତ’ ଭକତ ଭାବରେ ବନ୍ଧାରେ ସେ ତ’ ଭକତ ଜୀବନ ଧନ । ମହାପ୍ରଭୁ ଭକ୍ତଙ୍କ ଭକ୍ତି ଭାବରେ ବନ୍ଧା । ଭକ୍ତଙ୍କ ଆଖିରୁ ଭକ୍ତିରେ ଝରୁଥିବା ଟୋପାଏ ଲୁହ ମହାପ୍ରଭୁଙ୍କ ପାଇଁ ମୁକ୍ତା ସହିତ ସମାନ । କାଳିଆ ସୁନା ଭାବ ବିନୋଦିଆ ଠାକୁର । ତାଙ୍କ ପାଖରେ ଉଚ୍ଚନୀଚ୍ଚ, ଧନୀଗରିବ କିଛି ପାର୍ଥକ୍ୟ ନଥାଏ । ଯିଏ ଭକ୍ତି ଭାବରେ ସମର୍ପିତ ହୁଏ ତାକୁ କାଳିଆ କୁଣ୍ଢାଇ ନିଏ । ଗତକାଲି ଶ୍ରୀଜିଉଙ୍କ ବାହୁଡା ଯାତ୍ରା ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ନିକଟରେ ସେଇ ଭକ୍ତି ଓ ସମର୍ପଣ ଭାବ ଦେଖିବାକୁ ମିଳିଥିଲା ।
ମହାପ୍ରଭୁଙ୍କ ରଥ ମାଉସୀମା ମନ୍ଦିର ନିକଟରେ ପହଞ୍ଚି ସାରିଥାଏ । ହଠାତ ମାଡ଼ିଆସିଲା ବର୍ଷା । ସେ ବର୍ଷାକୁ ଖାତିରନକରି ସେବାୟତମାନେ ଯେପରି ରଥ ଟାଣିନେଉଥାନ୍ତି, ମୁଖ୍ୟ ପ୍ରଶାସକ ମଧ୍ୟ ମୁଣ୍ଡରେ ଗାମୁଛା ଓ ମୁହଁରେ ମାସ୍କ ବାନ୍ଧି ବଡଦାଣ୍ଡରେ ରଥ ଆଗେ ଆଗେ ଖାଲି ପାଦରେ ଚାଲିଥାନ୍ତି । ରଥଯାତ୍ରାରେ ଶୃଙ୍ଖଳିତ ରୀତିନୀତି ତାଙ୍କ ଦାୟିତ୍ୱ । ତେଣୁ ବିନା କୌଣସି ବିଘ୍ନରେ କେମିତି ଏ ନବଦିନାତ୍ମକ ଯାତ୍ର ସମାପନ ହେବ ସେଥିପାଇଁ ମୁଖ୍ୟ ପ୍ରଶାସକ ମହାପ୍ରଭୁଙ୍କ ନିକଟରେ ନିଜକୁ ପୂର୍ଣ୍ଣମାତ୍ରାରେ ସମର୍ପଣ କରିଦେଇଥିବା ଗତକାଲି ସ୍ପଷ୍ଟ ଭାବରେ ପ୍ରତୀତ ହେଉଥିଲା ।
ବର୍ଷାରେ କାଳେ ରଥଟଣା ବିଳମ୍ବିତ ହେବ କିମ୍ବା କାଳେ କୌଣସି ବିଘ୍ନ ଘଟିବ, ସେଥିପାଇଁ ମୁଖ୍ୟ ପ୍ରଶାସକ ବିଚଳିତ ହୋଇପଡିଥିଲେ । ହେଲେ ମହାପ୍ରଭୁଙ୍କୁ କଣ ବା ଅଗୋଚର । ତାଙ୍କ ଆଶୀର୍ବାଦରୁ ସବୁ ସୁରୁଖୁରରେ ସମାପନ ହେଇଗଲା । ଜଣେ ପ୍ରଶାସକଙ୍କ ନିକଟରେ ଏଭଳି ଭାବ କେବେ ଦେଖିବାକୁ ମିଳିନଥିଲା । ଢୁ ଢୁ ବର୍ଷାକୁ ଖାତିର ନକରି ବଡଦାଣ୍ଡରେ ବିଶ୍ଵନିଅନ୍ତାଙ୍କ ନିକଟରେ ସତେ ଯେପରି ନିଜକୁ ସମର୍ପି ଦେଇଥିଲେ ସେ |
ବୋଧହୁଏ ତାଙ୍କର ଏଇ ଭକ୍ତି ଭାବ ଓ ସମର୍ପଣ ପାଇଁ ଗତ ଦୁଇବର୍ଷ ହେଲା ବିନା ଭକ୍ତରେ ରଥଯାତ୍ରା ହେଉଥିଲେ ବି କୌଣସି ବିଘ୍ନ ଘଟିନି । ମହାପ୍ରଭୁ ବି ନିଜ ଭକ୍ତର ଭାବାବେଗକୁ ବୁଝିଛନ୍ତି । ରଥଯାତ୍ରାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ସବୁ ନୀତିକାନ୍ତି ଶୃଙ୍ଖଳି ଓ ନିର୍ଦ୍ଧରିତ ସମୟ ପୂର୍ବରୁ ଶେଷ ହୋଇଛି । ଏମିତିକି ଜଣେ ପ୍ରଶାସକ ହୋଇବି ସେ ସେବାୟତଙ୍କ ସହ ମିଶି ବଡଦାଣ୍ଡରେ ଗୀତଗୋବିନ୍ଦ ଗାନ କରିବା ଶ୍ରୀଜଗନ୍ନାଥଙ୍କ ପ୍ରତି ତାଙ୍କର ଭକ୍ତିଭାବର ପରିଚୟ । ସେହିଭଳି ସେବାୟତଙ୍କ ସହ କାନ୍ଧରେ କାନ୍ଧ ମିଳାଇ ସେମାନଙ୍କ ସୁଖଦୁଃଖର ସାଥି ହୋଇଥିବାରୁ ସେବାୟତମାନେବି ତାଙ୍କୁ ସବୁକ୍ଷେତ୍ରରେ ସହଯୋଗ କରିଥାନ୍ତି ।