ରାଜ୍ୟ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ କଣ ଚାଲିଛି ତର୍ଜମା, ଜଣାନ୍ତୁ

0

ଓଡ଼ିଶା ଫାଷ୍ଟ(ଜିତେନ୍ଦ୍ର ମହାନ୍ତି): ଚଳିତ ମାସ ଶେଷ ବେଳକୁ ହୋଇପାରେ ରାଜ୍ୟ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ । ଯାହାକି ଅନେକ ଦିନ ପୂର୍ବରୁ ଅନୁଷ୍ଠିତ ହେବାକୁ ଥିଲା । ମାତ୍ର କରୋନା ସଂକ୍ରମଣ କୁ ଦୃଷ୍ଟି ରେ ରଖି ଏଥିରେ ଟିକେ ବିଳମ୍ବ ହୋଇଥିଲା । କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପରେ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଅଦଳ ବଦଳ କୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଗକୁ ପୌର ଏବଂ ପଞ୍ଚାୟତ ନିର୍ବାଚନ । ବିଜେପି ନିଜର ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଲାଣି । ନୂତନ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଓଡ଼ିଶାରୁ ଦୁଇଜଣଙ୍କୁ ମନ୍ତ୍ରୀ ପଦ ଦିଆଯିବା ପରେ ବିଜେଡି ସତର୍କ ହେବା ଆରମ୍ଭ କରିଛି । କିଛିଦିନ ହେବ ମୁଖ୍ୟମନ୍ତ୍ରୀ ରାଜ୍ୟ ମନ୍ତ୍ରୀମଣ୍ଡଳର କିଛି ବରିଷ୍ଠ ମନ୍ତ୍ରୀ, ଦଳର ବରିଷ୍ଠ ପଦାଧିକାରୀ, ଯୁବ ନେତୃତ୍ବ, ବରିଷ୍ଠ ବିଧାୟକଙ୍କ ସହିତ ଆଭାସି ଜରିଆରେ ଜୋରଦାର ଆଲୋଚନା ଚଳାଇଛନ୍ତି । ଦଳକୁ ତୃଣମୂଳ ସ୍ତରରୁ କିପରି ସୁଦୃଢ କରାଯିବ ଏନେଇ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିବା ଚର୍ଚ୍ଚା ହେଉଛି ।

ଅନେକ ସ୍ଥାନରେ ବିଜେଡ଼ି ନିଜ ସ୍ଥିତି ସୁଧାରିବା ମଧ୍ୟ ଅତ୍ୟାବଶ୍ୟକ ହୋଇଥିବା ରାଜନୈତିକ ବିଶେଷଜ୍ଞ ମତପ୍ରକାଶ କରୁଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ନେତା ମାନେ ଅନ୍ୟ ମାନଙ୍କ ଗୋଡ ଟାଣିବା ବଦଳରେ ଦଳକୁ ମଜଭୁତ କରିବାକୁ ହାତ ମିଶାଇବା ଉଚିତ ବୋଲି ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ ଗଞ୍ଜାମରେ ବିଜେଡ଼ି ସ୍ଥିତି ଏତେ ଭଲ ନଥିବା ସବୁଠି ଚର୍ଚ୍ଚା ହେଉଛି । କାରଣ ପୂର୍ବରୁ ଗଞ୍ଜାମ ବିଜେଡ଼ି ସାଙ୍ଗଠନିକ ଦାୟିତ୍ୱ ପ୍ରଦୀପ ପାଣିଗ୍ରାହୀ ତୁଲାଇ ଆସୁଥିଲେ ମାତ୍ର ତାଙ୍କ ପରେ ଏହା ଗୋପବନ୍ଧୁ ବାବୁ ଏବଂ ମନ୍ତ୍ରୀ ବିକ୍ରମ ଆରୁଖ ତଦାରଖ କରୁଥିଲେ । ମାତ୍ର ଗଞ୍ଜାମରେ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ପୂର୍ବରୁ ଭଳି ଲୋକପ୍ରିୟତା ନଥିବା ଶୁଣିବାକୁ ମିଳୁଛି । ତେଣୁ ଅଭିଜ୍ଞ ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ପାତ୍ରଙ୍କୁ ସାଙ୍ଗଠନିକ ଦାୟିତ୍ୱ ପ୍ରଦାନ କରାଯିବା ନେଇ ଚର୍ଚ୍ଚା ହେଉଛି । ଶ୍ରୀ ପାତ୍ର ଦଳର ପୁରୁଖା ନେତାଙ୍କୁ ଏକତ୍ରିତ କରିବା ସହ ଯୁବଗୋଷ୍ଠୀଙ୍କ କଥା ମଧ୍ୟ ବୁଝିବେ ।

                                                            ରାଜେନ୍ଦ୍ର ଢୋଲକିଆ    ସୁନନ୍ଦା ଦାସ     ରାଜକିଶୋର ଦାସ

ସେହିପରି ମୟୁରଭଞ୍ଜରୁ କେନ୍ଦ୍ରୀୟ ମନ୍ତ୍ରୀ ମଣ୍ଡଳରେ ବିଶେଶ୍ୱର ଟୁଡୁ ସ୍ଥାନ ପାଇବା ପରେ ରାଜ୍ୟ ରାଜନୀତି ମୟୁରଭଞ୍ଜ ମୁହାଁ ହୋଇଛି । ସେଠାରେ ବିଜେପି ନିଜ କାୟାବିସ୍ତାର କରିବା ଆଗରୁ ବିଜେଡି ସତର୍କ ହେବାକୁ ଚିନ୍ତା କରୁଛି । ତେଣୁ ମୟୁରଭଞ୍ଜରୁ ଜଣଙ୍କୁ ମନ୍ତ୍ରୀପଦ ଦେବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ ମରୋଡା ବିଧାୟକ ରାଜକିଶୋର ଦାସ ଏବଂ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମଙ୍କ ନାଁ ନେଇ ଚର୍ଚ୍ଚା ହେଉଛି ।

ଅପରପକ୍ଷରେ ଅଭିଜ୍ଞ ନେତାଙ୍କୁ ମଧ୍ୟ ଦାୟିତ୍ୱ ଦିଆଯିବା ନେଇ ଆଶା ଉଜ୍ଜୀବିତ ହୋଇଛି । ସେମାନଙ୍କ ମଧ୍ୟରେ ବିଧାୟକ ପ୍ରତାପ ଦେବ, ଦେବୀ ମିଶ୍ର, ବିଧାୟକ ପ୍ରଫୁଲ୍ଲ ସାମଲ, ବଦ୍ରି ପାତ୍ରଙ୍କ ନାଁ ମଧ୍ୟ ସାମିଲ ହୋଇପାରେ ।

କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ପଶ୍ଚିମ ଓଡିଶା କୁ ଅଣଦେଖା କରାଯାଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ବିଜେଡି ଏହାର ଫାଇଦା ଉଠାଇ ପାରେ । ରେଢାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯାଇ ପାରେ । ସେହିପରି ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ, ବରି ବିଧାୟିକା ସୁନନ୍ଦା ଦାସ, ମନୋହର ରନ୍ଧାଣିଙ୍କ ନାଁ ମନ୍ତ୍ରୀ ରେସରେ ଥିବା ଶୁଣିବାକୁ ମିଳୁଛି ।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ବର୍ତ୍ତମାନ ରାଜ୍ୟ ମନ୍ତ୍ରୀମଣ୍ଡଳରେ ୧୨ଜଣ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହିତ ୯ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ମିଶାଇ ୨୧ଜଣିଆ ଟିମ୍ କାର୍ଯ୍ୟରତ ଏବଂ ୨୦୧୯, ମେ ୨୯ରେ ଶପଥ ନେଇଥିବା ଏହି ମନ୍ତ୍ରିମଣ୍ଡଳରେ ଏ ପର୍ଯ୍ୟନ୍ତ ଅବଳବଦଳ କରାଯାଇନାହିଁ । ବହୁ ପୂର୍ବରୁ ମନ୍ତ୍ରୀମଣ୍ଡଳର ଆକାର ବଦଳିବା ନେଇ ବିଚାର ବିମର୍ଷ ଚାଲିଥିଲେ ବି କରୋନା ସଂକ୍ରମଣ କାରଣରୁ ଏହା ବିଳମ୍ବିତ ହୋଇଛି । ଆଗାମୀ ଦିନରେ ନବୀନଙ୍କ ଟିମ୍‌ରେ ପରିବର୍ତ୍ତନ ଅବଶ୍ୟମ୍ଭାବୀ ବୋଲି ରାଜନୈତିକ ମହଲରେ ଆଲୋଚନା ଚାଲିଛି । ତେବେ ଆଗାମୀ ଅଦଳବଦଳ ପ୍ରକ୍ରିୟାରେ ବିଶେଷ କାର୍ଯ୍ୟଦକ୍ଷତାର ପ୍ରମାଣ ଦେଖାଇ ପାରିନଥିବା ପ୍ରାୟ ୫ରୁ ୬ଜଣ ମନ୍ତ୍ରୀଙ୍କୁ ବିଦା କରାଯାଇ ସେମାନଙ୍କ ସ୍ଥାନରେ ନବୀନ ପ୍ରବୀଣ ଓ ବରିଷ୍ଠଙ୍କୁ ସାମିଲ କରାଯିବାର ସମ୍ଭାବନା ରହିଛି । ଦଳୀୟ ନେତା ଏବଂ ରାଜନୈତିକ ବିଶେଷକଙ୍କ ଆକଳନ ଅନୁଯାୟୀ ନବୀନ ତାଙ୍କ ନୂଆ ଟିମ୍‌ରେ ଦଳର ସାଙ୍ଗଠନିକ ବ୍ୟକ୍ତିଙ୍କୁ ଅଧିକ ସକ୍ରିୟ କରିବାରେ ପ୍ରମୁଖ ଭୂମିକାରେ ଥିବା ପୂର୍ବତନ ମନ୍ତ୍ରୀ, କେନ୍ଦ୍ରାପଡ଼ାର ପ୍ରଭାବଶାଳୀ ବିଧାୟକ, ପଶ୍ଚିମ ଓଡ଼ିଶାର କିଛି ତୁଙ୍ଗ ନେତା ଏବଂ ଉତ୍ତର ଓଡ଼ିଶା ବିଶେଷ କରି ମୟୂରଭଞ୍ଜ ଓ ବାଲେଶ୍ବର ଜିଲାରୁ କିଛି ନେତାଙ୍କୁ ମଧ୍ୟ ସାମିଲ କରାଯିବାର ସମ୍ଭାବନା ରହିଛି ।

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ ଅରୁଣ ସାହୁ, ମନ୍ତ୍ରୀ ଅଶୋକ ପଣ୍ଡା, ମନ୍ତ୍ରୀ ସମୀର ଦାସଙ୍କ ସମେତ ଦଳର ସାଙ୍ଗଠନିକ ସମ୍ପାଦକ ତଥା ବିଜେଡିରେ ଏବେ ସବୁଠୁ ସକ୍ରିୟ ଥିବା ବିଧାୟକ ପ୍ରଣବ ପ୍ରକାଶ ଦାସ, ଦେବୀପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବଙ୍କ ସମେତ ବହୁ ବରିଷ୍ଠ ବିଧାୟକଙ୍କ ସହିତ ଆଲୋଚନା କରିଥିଲେ ।

Leave a comment