ପେଟ୍ରୋଲ, ଡିଜେଲ୍ ଓ ରନ୍ଧନ ଗ୍ୟାସର ଦରବୃଦ୍ଧି ପ୍ରତିବାଦରେ ରାଜ୍ୟ କଂଗ୍ରେସର ସାଇକେଲ୍ ଶୋଭାଯାତ୍ରା

0

ଭୁବନେଶ୍ୱର, ପେଟ୍ରୋଲ, ଡିଜେଲ୍ ଓ ରନ୍ଧନ ଗ୍ୟାସର ଦରବୃଦ୍ଧି ପ୍ରତିବାଦରେ ରାଜ୍ୟ କଂଗ୍ରେସର ସାଇକେଲ୍ ଶୋଭାଯାତ୍ରା ଜୁଲାଇ ୭ ରୁ ୧୭ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ ଜାରି ରହିଛି । ଆଜି ରାଜଧାନୀ ଭୁବନେଶ୍ୱରରେ ପ୍ରଦେଶ କଂଗ୍ରେସ୍ କମିଟି ପକ୍ଷରୁ ଏକ ସାଇକେଲ୍ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ଏବଂ ଆଗକୁ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏପରି ଆନ୍ଦୋଳନ ଜାରି ରହିବ ବୋଲି ସାଇକେଲ୍ ଶୋଭାଯାତ୍ରାର ନେତୃତ୍ୱ ନେଇଥିବା ପି.ସି.ସି. ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରର ବ୍ୟାରେଲ୍ ପିଛା ଦର କମୁଥିବା ବେଳେ ଭାରତରେ ପେଟ୍ରୋଲ୍‌, ଡିଜେଲ୍ ଦର କ୍ରମାଗତ ଭାବେ ବୃଦ୍ଧି ପାଇବା ମୋଦି ସରକାରର ଆଚ୍ଛେଦିନର ନଗ୍ନ ନମୂନା ବୋଲି ସେ କହିଥିଲେ । କେବଳ ସେତିକି ନୁହେଁ, ରନ୍ଧନ ଗ୍ୟାସ୍ ସିଲିଣ୍ଡର ଦରବୃଦ୍ଧି ଯୋଗୁଁ ହାଣ୍ଡିଶାଳରେ ମହିଳାମାନଙ୍କ ଆଖିରୁ ଲୁହ ବୋହୁଛି ଏବଂ ଏହି ଲୁହ ସରକାରଙ୍କ ଉପରେ ପଡ଼ିବ । ସେହିପରି ଖାଇବା ତେଲର ଦର ମଧ୍ୟ ଲଗାମଛଡ଼ା ବୃଦ୍ଧି ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ପାଉଥିବାରୁ ଏହା ଖାଉଟିଙ୍କ ଉପରେ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ । କରୋନା ମହାମାରୀ କାରଣରୁ ଲୋକଙ୍କ ଅର୍ଥନୀତି ଭୁଷୁଡି ପଡ଼ିଥିବା ବେଳେ ମୋଦି ସରକାର ନିଜର ଅହମିକା ଓ ଅହଂକାର ବଳରେ ସାଧାରଣ ଖାଉଟିଙ୍କ ଉପରେ ଟିକସ ପଇସା ଲଦିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ । ଆସନ୍ତାକାଲି ୧୫ ତାରିଖ (ଗୁରୁବାର) ପ୍ରମୁଖ ଚାରିଟି ବାମଦଳ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାକୁ କଂଗ୍ରେସ ପୂର୍ଣ୍ଣ ସମର୍ଥନ କରିବ ବୋଲି ପି.ସି.ସି. ସଭାପତି ଶ୍ରୀ ପଟ୍ଟନାୟକ କହିବା ସହ ଉକ୍ତ ଗୋଟିଏ ଦିନ ପାଇଁ ପେଟ୍ରୋଲ୍‌, ଡିଜେଲ୍ ଓ ରନ୍ଧନଗ୍ୟାସ ନ କିଣିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ସେହିପରି ଆଗାମୀ ୧୭ ତାରିଖ ଦିନ ସମସ୍ତ ପେଟ୍ରୋଲ୍ ପମ୍ପ ସମ୍ମୁଖରେ କଂଗ୍ରେସ ପକ୍ଷରୁ ହେବାକୁ ଥିବା ଦସ୍ତଖତ ଅଭିଯାନରେ ସାମିଲ୍ ହୋଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ଖାଉଟିମାନେ ନିଜର ମୂଲ୍ୟବାନ ମତାମତ ଦେବା ସହ ଦସ୍ତଖତ ଦେବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି । ସାଇକେଲ୍ ଶୋଭାଯାତ୍ରାରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ୍ ଦାଶ,କଟକ ଜିଲ୍ଲା ସଭାପତି ଶ୍ରୀ ମାନସ ଚୌଧୁରୀ ଓ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର୍ ନୱାଜଙ୍କ ନେତୃତ୍ୱରେ ୫୦୦ ରୁ ଊର୍ଦ୍ଧ୍ୱ ସାଇକେଲ୍ ଟ୍ରଲି କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଣ୍ଟିନ୍ ଛକ, ଶ୍ରୀୟାଟକିଜ୍ ଛକ, ରାମମନ୍ଦିର ଛକ ଦେଇ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା । ୟୁପିଏ ସରକାର ସମୟରେ ଯେତେବେଳେ କି ତୈଳଦର ବ୍ୟାରେଲ୍ ପିଛା ଅତ୍ୟଧିକ ଥିଲା ସେତେବେଳେ କିଛି ପଇସା ଲିଟର ପିଛା ବଢୁଥିବା ବେଳେ ଉଭୟ ମୋଦି ଓ ନବୀନ ସରକାର ରାସ୍ତା ଉପରକୁ ଆସି ନାରାବାଜି କରୁଥିଲେ । ଜୀବନରେ ଶୁଣି ନଥିବା ପେଟ୍ରୋଲ୍ ଓ ଡିଜେଲ୍ ଲିଟର ପିଛା ୧୦୦ ଟଙ୍କାରୁ ଉର୍ଦ୍ଧ୍ୱ ଏବଂ ରନ୍ଧନ ଗ୍ୟାସ ପାଖାପାଖି ୯୦୦ଟଙ୍କା ଛୁଇଁବାକୁ ବସିଥିବା ବେଳେ ଉଭୟ ବିଜେଡି ଓ ବିଜେପି ସରକାର ଚୁପ୍ କାହିଁକି ବୋଲି ଯୋଗଦେଇଥିବା କଂଗ୍ରେସ ନେତୃବୃନ୍ଦମାନେ ପ୍ରଶ୍ନକରି ବିଶୋଦଗାର କରିଥିଲେ l

ଏହି ସାଇକେଲ୍ ଶୋଭାଯାତ୍ରାରେ ପି.ସି.ସି. କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ,ଏ.ଆଇ.ସି.ସି. ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଜି. ରୁଦ୍ର ରାଜୁ, ଅନ୍ୟତମ ଏଆଇସିସି ସମ୍ପାଦକ ତଥା ସାଂସଦ ସପ୍ତଗିରି ଉଲାକା, ପୁର୍ବତନ ପି.ସି.ସି. ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ ବିଧାୟକ ସର୍ବଶ୍ରୀ ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂହ ସାଲୁଜା, ଅଧିରାଜ ପାଣିଗ୍ରାହୀ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ଛାତ୍ର କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ ତଥା ଓଡ଼ିଶା ପ୍ରଭାରୀ କୁମାରୀ ଅନୁଲେଖା ବୁଷା, ଛାତ୍ର କଂଗ୍ରେସ ରାଷ୍ଟ୍ରୀୟ ସମ୍ପାଦକ ଆଦିତ୍ୟ ଚୌଧୁରୀ, ରାଜ୍ୟ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ବିଜୟଲକ୍ଷ୍ମୀ ସାହୁ, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଶୁଭେନ୍ଦୁ ମହାନ୍ତି, ଶିବାନନ୍ଦ ରାୟ, ମନୋରଞ୍ଜନ ଦାସ, ଜାନକୀ ବଲ୍ଲଭ ପଟ୍ଟନାୟକ, ସତ୍ୟପ୍ରକାଶ ନାୟକ, ବିଶ୍ୱଭୂଷଣ ଦାସ, ପଦ୍ମାକର ଗୁରୁ, ମମତା କୁଣ୍ଡୁ, କୈଳାସ ସାହୁ, ସାଗର ପରିଡ଼ା, ବ୍ରହ୍ମାନନ୍ଦ ସାହୁ, ମନୋରଞ୍ଜନ ବଟୁ, ଅନୀଲ ଦାସ, ସୁବ୍ରତ ସେନାପତି, ସୁବ୍ରଜ୍ୟୋତି ଲେଙ୍କା ପ୍ରମୁ୍‌ଖ ବହୁ ମହିଳା, ଛାତ୍ର, ଯୁବ କଂଗ୍ରେସ ଏବଂ ବହୁ କଂଗ୍ରେସ ନେତୃବୃନ୍ଦ ଯୋଗଦେଇ କାର୍ଯକ୍ରମକୁ ସଫଳ କରିଥିଲେ ।

Leave a comment