ସୋଆରେ ୭୨ତମ ବନମହୋତ୍ସବ ସପ୍ତାହ ପାଳିତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ମହାମାରୀ ଏବଂ ତଦଜନିତ ଲକଡାଉନକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଏନଏସଏସ ଶାଖା ନିଆରା ଢ଼ଙ୍ଗରେ ବନମହୋତ୍ସବ ପାଳନ କରିଛି । ସୋଆ ଏନଏସଏସ ବ୍ୟୁରୋ ପକ୍ଷରୁ ‘ଇଚ ୱାନ, ପ୍ଲାଣ୍ଟ ୱାନ’ (ଗୋଟିଏ ପିଲା, ଗୋଟିଏ ଗଛ) ସ୍ଲୋଗାନରେ ଅନୁପ୍ରାଣିତ ହୋଇ ପ୍ରାୟ ୫୦୦ ସ୍ବେଚ୍ଛାସେବୀ ନିଜ ଘରର ଚତୁଃପାର୍ଶ୍ବ ଏବଂ ନିକଟବର୍ତ୍ତୀ ଅଞ୍ଚଳରେ ବିଭିନ୍ନ ପ୍ରକାରର ଚାରା ରୋପଣ କରିଛନ୍ତି ।
ବନମହୋତ୍ସବ ସପ୍ତାହ ଅବସରରେ ଜୁଲାଇ ୧ରୁ ଚାଲିଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି । ଏଥି ନିମନ୍ତେ ଆୟୋଜିତ ୱେବିନାରରେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଯଦି ପ୍ରକୃତି ଡାଇନୋସୋର ଭଳି କେତେକ ପ୍ରଜାତିର ଜୀବକୁ ଲୋପକରିପାରେ ମଣିଷ ବା କାହିଁକି ନିଶ୍ଚିହ୍ନ ନହେବ? ଯେଉଁଭଳି ଭାବରେ ପାଣି ଓ ପବନ ଦୂଷିତ ହେବାରେ ଲାଗିଛି ଓ ଜଙ୍ଗଲ ସମ୍ପଦର କ୍ଷୟ ଘଟୁଛି, ସାବଧାନ ନହେଲେ ବଞ୍ଚିବା ଅସମ୍ଭବ ବୋଲି ପ୍ରଫେସର ମହାପାତ୍ର କହିଥିଲେ ।
ଏହି ଅବସରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଶା ପରିବେଶ କଂଗ୍ରେସର ପ୍ରତିଷ୍ଠାତା ସମ୍ପାଦକ ସୁଦର୍ଶନ ଦାସ କହିଥିଲେ ଯେ, ମଣିଷ ଆଜି ଛିଡା ହୋଇଛି ପ୍ରଶ୍ନର ଦୋଛକିରେ, ଆର୍ଥିକ ପ୍ରଗତି ଆଗେ ନା ପରିବେଶ ସୁରକ୍ଷା ଆଗେ ? ଏହି ପ୍ରଶ୍ନର ସମାଧାନରେ ନିହିତ ରହିଛି ଆମର ଅସ୍ତିତ୍ବ । ଆଗ ବଞ୍ଚିଲେ ଯାଇ ଯାବତୀୟ ପ୍ରଗତିର ମୂଲ୍ୟ ରହିଛି ।
ସୋଆର ଆଉଟରିଚ କାର୍ଯ୍ୟକ୍ରମ ସମ୍ପର୍କରେ ଖୁସି ବ୍ୟକ୍ତ କରି ବନମହୋତ୍ସବ, ବୃକ୍ଷ ରୋପଣ ସହିତ ଜଳ ସଂରକ୍ଷଣ ଉପରେ ମଧ୍ୟ ସୋଆ ଏନଏସଏସ କାର୍ଯ୍ୟ ଜାରି ରଖୁ ବୋଲି ସେ କହିଥିଲେ ।
ସୋଆର ଆଉଟରିଚ ପ୍ରୋଗ୍ରାମର ନିର୍ଦ୍ଦେଶକ ତଥା ଏନଏସଏସ ସଂଯୋଜକ ପ୍ରଫେସର ନଚିକେତା ଶର୍ମା ବୃକ୍ଷରୋପଣ କାର୍ଯ୍ୟକ୍ରମର ଏକ ସଂକ୍ଷିପ୍ତ ବିବରଣୀ ଦେଇଥିଲେ । ଇନଷ୍ଟିଚ୍ୟୁଟ ଅଫ ଏଗ୍ରିକଲଚରାଲ ସାଇନସେସର ପ୍ରୋଗ୍ରାମ ଅଫିସର ପ୍ରଫେସର ସରୋଜ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଉଭୟ ଗୁଗୁଲ ମିଟ୍ ଓ ୟୁଟ୍ୟୁବରେ ପ୍ରସାରିତ କାର୍ଯ୍ୟକ୍ରମରେ ୨୫୦ରୁ ଅଧିକ ସୋଆ ଛାତ୍ରଛାତ୍ରୀ, ଡିନ୍ ଓ ପ୍ରୋଗ୍ରାମ ଅଫିସର ଯୋଗଦେଇଥିଲେ ।