କରୋନାରେ ୨ ଟପ୍ ମାଓନେତାଙ୍କ ମୃତ୍ୟୁ, ଆତ୍ମସମର୍ପଣ କଲେ ଆଉ ୨ କ୍ୟାଡର୍ ନେତା
ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନାରେ ଜୀବନ ହାରିଲେ ଦୁଇ ହାର୍ଡକୋର୍ ମାଓବାଦୀ। ମାଓନେତା ହରିଭୂଷଣ ଓ ସାରକ୍କା କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି। ଏହାସହ ଅନ୍ୟ ଦୁଇ ଜଣ ଆତ୍ମସମର୍ପଣ କରିଛନ୍ତି। ୨ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ନେଇ ଲାଲବାହିନୀ ପକ୍ଷରୁ ସୂଚନା ଦିଆଯାଇଛି। ରାଷ୍ଟ୍ରୀୟ ମାଓ ବଳ ପ୍ରେସ୍ ବିଜ୍ଞପ୍ତିରେ ଏହା ପ୍ରକାଶ କରିଛି।
ପ୍ରେସ ବିଜ୍ଞପ୍ତି ଅନୁସାରେ, ଜୁନ୍ ୨୧ରେ ନାରାୟଣଙ୍କର ମୃତ୍ୟୁ ହୋଇଥିଲା। ତା ମୁଣ୍ଡ ଉପରେ ପୁଲିସ ପକ୍ଷରୁ ୪୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା। ସେହିପରି ହରିଭୂଷଣ ମାଓବାଦୀ ସେଣ୍ଟ୍ରାଲ କମିଟିର ସଦସ୍ୟ ସହ ତେଲଙ୍ଗାନା ସ୍ପେଶାଲ ଜୋନାଲ କମିଟିର ସଂପାଦକ ଥିଲା। ସେ ୨୨ରୁ ଅଧିକ ମାଓ ଆକ୍ରମଣରେ ସାମିଲ ଥିଲା। ଏତଦ୍ବ୍ୟତୀତ ଏରିଆ କମିଟି ନେତ୍ରୀ ସାରକ୍କାଙ୍କ ମୃତ୍ୟୁ ମଧ୍ୟ କରୋନାରେ ହୋଇଛି। ସମସ୍ତଙ୍କର ଦଣ୍ଡକାରଣ୍ୟ ଜଙ୍ଗଲରେ ଅନ୍ତିମ ସଂସ୍କାର କରାଯାଇଛି।
କେବଳ ଏତିକି ନୁହେଁ କରୋନାରେ ପୀଡ଼ିତ ହୋଇଥିବାରୁ ପୁଲିସ ନିକଟରେ ୨ ମାଓନେତା ଆତ୍ମସମର୍ପଣ କରିଛନ୍ତି। ସେମାନେ ୪୦୦ ରାଉଣ୍ଡ ଗୁଳି ସହ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀ ହେଲେ ଛତିଶଗଡ଼ ଓ ମଧ୍ୟପ୍ରଦେଶ ସୀମାନ୍ତ କାହ୍ନା ଡିଭିଜନ୍ ମାଓ ସଂଗଠନର ପ୍ଳାଟୁନ୍ କମାଣ୍ଡର ଦିବାକର ଓ ମହିଳା ମାଓବାଦୀ ଲକ୍ଷ୍ମୀ।