୨ ହଜାରରୁ ଊଦ୍ଧ୍ୱ ନକଲି ଟିକାକରଣର ଶିକାର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁମ୍ବାଇରେ ୨୦୦୦ ରୁ ଅଧିକ ଲୋକ ନକଲି ଟିକାକରଣର ଶିକାର ହୋଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁବାର ବମ୍ବେ ହାଇକୋର୍ଟଙ୍କୁ ଏନେଇ ସୂଚନା ଦିଆଯାଇଛି। ରାଜ୍ୟ ସରକାରଙ୍କ ପରାମର୍ଶଦାତା ତଥା ମୁଖ୍ୟ ପବ୍ଲିକ ପ୍ରସିକ୍ୟୁଟର ଦୀପକ ଠାକରେ କହିଛନ୍ତି, ସହରରେ ଏପର୍ଯ୍ୟନ୍ତ ୯ଟି ନକଲି ଟିକାକରଣ କେନ୍ଦ୍ର କରାଯାଇଥିଲା । ହାଇକୋର୍ଟ ଆସନ୍ତା ଜୁନ୍ ୨୯ରେ ଏହାର ଶୁଣାଣି କରିବେ। ଦୀପକ ଠାକରେ କହିଛନ୍ତି ଯେ ପୁଲିସ ଏପର୍ଯ୍ୟନ୍ତ ଏହି ମାମଲାରେ ୪ଟି ପୃଥକ ଏଫ୍ଆଇଆର୍ ପଞ୍ଜିକୃତ କରି ତଦନ୍ତ କରୁଛି। ପ୍ରଧାନ ବିଚାରପତି ଦୀପଙ୍କର ଦତ୍ତା ଏବଂ ଜଷ୍ଟିସ ଜିଏସ କୁଲକର୍ଣ୍ଣିଙ୍କ ଖଣ୍ଡପୀଠରେ ରାଜ୍ୟ ସରକାର ଏହି ମାମଲାର ଯାଞ୍ଚ ଉପରେ ରିପୋର୍ଟ ଦାଖଲ କରିଛନ୍ତି। ପରାମର୍ଶଦାତା ଶ୍ରୀ ଠାକରେ କୋର୍ଟଙ୍କୁ କହିଛନ୍ତି ଯେ ପୁଲିସ ଏପର୍ଯ୍ୟନ୍ତ ୪୦୦ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିବାବେଳେ ଅଭିଯୁକ୍ତ ଡାକ୍ତରଙ୍କ ଅନୁସନ୍ଧାନ ଜାରି ରହିଛି। ନକଲି କରୋନା ଟିକା ନେବା ଦିନ ଲୋକଙ୍କୁ ପ୍ରମାଣପତ୍ର ଦିଆଯାଇନଥିବା ବିଏମସିର ବରିଷ୍ଠ ଓକିଲ ଅନିଲ ସାଖରେ କୋର୍ଟଙ୍କୁ କହିଛନ୍ତି। ପରେ ୩ଟି ଭିନ୍ନ ଭିନ୍ନ ଡାକ୍ତରଖାନା ନାମରେ ଏହି ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସେତେବେଳେ ଏଥିରେ କିଛି ଗଡ଼ବଡ଼ ଥିବା ଲୋକେ ଅନୁଭବ କରିଥିଲେ।