UP ପଞ୍ଚାୟତ ନିର୍ବାଚନ: ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କ ଭିଡିଓ ଭାଇରାଲ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜିଲ୍ଲା ପଞ୍ଚାୟତ ସଭାପତି ନିର୍ବାଚନକୁ ନେଇ ଉତ୍ତରପ୍ରଦେଶ ରାଜନୀତି ଏବେ ଉଠପଡ ହେଉଛି। ଶାସକ ବିଜେପିର ପ୍ରାର୍ଥୀ ସୂଚୀ ଜାରି ପରେ ଏକ ଭାଇରାଲ ଭିଡିଓ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ଏହି ଭିଡିଓ ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କର ହୋଇଥିବା ବେଳେ ଏହାକୁ ନେଇ ପାର୍ଟି ତୁରନ୍ତ ପ୍ରାର୍ଥୀ ବଦଳାଇବା ସହ ପ୍ରସଙ୍ଗରେ ଏକ ବିଜ୍ଞପ୍ତି ମଧ୍ୟ ଜାରି କରିଛି। ଏଥିରୁ ଉନ୍ନାଓ କାଣ୍ଡକୁ ନେଇ ପାର୍ଟି ଏବେବି ରାଜ୍ୟରେ ଅସହଜ ଥିବା ସ୍ପଷ୍ଟ ହୋଇଯାଇଛି।
ସୂଚନା ଅନୁସାରେ ଜିଲ୍ଲା ପଞ୍ଚାୟତ ସଭାପତି ପଦ ନିମନ୍ତେ ଗୁରୁବାର ବିଜେପି ପ୍ରାର୍ଥୀ ସୂଚୀ ଜାରି କରିଥିଲା। ଏଥିରେ ବିଜେପି ଉନ୍ନାଓ ଜିଲ୍ଲା ପଞ୍ଚାୟତ ସଭାପତି ଭାବେ କୂଲଦୀପ ସେନଗାରର ଘନିଷ୍ଠ ସହଯୋଗୀ ଅଋଣ ସିଂହଙ୍କୁ ପ୍ରାର୍ଥୀ କରିଥିଲା। ଏହା ଜଣାପଡିବା ପରେ ଉନ୍ନାଓ ପୀଡ଼ିତାଙ୍କ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ପୀଡ଼ିତା ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ପତ୍ରର ଉଲ୍ଲେଖ କରିବା ସହ ରାଜ୍ୟରେ ସରକାର ମୋ ସହ ନ୍ୟାୟ କରୁଛନ୍ତି ନା ମୋତେ ମାରିଦେବାକୁ ଚାହୁଁଥିବା ଲୋକଙ୍କୁ ମଜଭୁତ କରୁଛନ୍ତି ତାହା ଜାଣିବାକୁ ଚାହୁଁଥିବା କହିଥିଲେ।
ଏଥିରେ ସେ ତାଙ୍କପ୍ରତି ଗଣ ଦୁଷ୍କର୍ମ କରିଥିବା ପୂର୍ବତନ ବିଜେପି ବିଧାୟକ କୂଲଦୀପ ସେନଗାରର ଘନିଷ୍ଠ ସହଯୋଗୀ ଅରୁଣ ସିଂହଙ୍କୁ ଉନ୍ନାଓ ଜିଲ୍ଲା ପଞ୍ଚାୟତ ସଭାପତି ପ୍ରାର୍ଥୀ ହୋଇଥିବା ଓ ସେ ମୋ ପିତାଙ୍କ ହତ୍ୟା ମାମଲାରେ ମଧ୍ୟ ଅଭିଯୁକ୍ତ ଥିବା କହିବା ସହ ଏଣୁ ତାଙ୍କୁ ପ୍ରାର୍ଥୀ ନ କରିବା ଲାଗି ପୀଡ଼ିତା ଭିଡିଓରେ ନିବେଦନ କରିଥିଲେ।
ଏହି ଭିଡିଓ ଭାଇରାଲ ହେବା ପରେ ପାର୍ଟି ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିବା ବେଳେ ଅରୁଣ ସିଂହଙ୍କ ଟିକେଟ୍ ପ୍ରତ୍ୟାହାର କରିନେଇଛି। ତାଙ୍କ ସ୍ଥାନରେ ୨୨ ନମ୍ବର ୱାର୍ଡ ଫତେପୁର ଚୌରାଶୀ ତୃତୀୟରୁ ଜିଲ୍ଲା ପଞ୍ଚାୟତ ସଦସ୍ୟ ନିର୍ବାଚିତ ସକୁନ ସିଂହଙ୍କୁ ପ୍ରାର୍ଥୀ କରିଛି। ଫଳରେ ନିର୍ବାଚନରେ ଦଳରୁ ଅଋଣ ସିଂହଙ୍କ ଟିକେଟ୍ କଟିଯାଇଛି। କେବଳ କୂଲଦୀପ ସେନଗାର ନୁହେଁ ଅରୁଣ ସିଂହ ରାଜ୍ୟମନ୍ତ୍ରୀ ରଣବେନ୍ଦ୍ର ପ୍ରତାପ ସିଂହ ଓରଫ ଧୁନ୍ନି ସିଂହଙ୍କ ଜ୍ୱାଇଁ ମଧ୍ୟ। ଏଣୁ ବିବାଦୀୟ ନେତାଙ୍କୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ହିଁ ଦଳ ତାଙ୍କର ଭବିଷ୍ୟତ ଜଣାଇଦେଇଛି।
ଉନ୍ନାଓ ଦୁଷ୍କର୍ମ ପୀଡ଼ିତା କୂଲଦୀପ ସେନଗାର ସମେତ ଅରୁଣ ସିଂହଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣିଥିଲେ। ପୀଡ଼ିତାଙ୍କ ପରିବାରକୁ ସଡକ ଦୁର୍ଘଟଣାରେ ହତ୍ୟା ଲାଗି ଉଦ୍ୟମ ମାମଲାରେ ଅରୁଣ ସିଂହ ମଧ୍ୟ ଅଭିଯୁକ୍ତ ଅଛନ୍ତି। ଏଣୁ ପୀଡ଼ିତା ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ପତ୍ର ଲେଖି ରାଜ୍ୟ ବିଜେପି ସେହି ଲୋକଙ୍କୁ ଟିକେଟ୍ ଦେଉଛି ଯେଉଁମାନେ ମୋତେ ହତ୍ୟା କରିବାକୁ ଚାହୁଁଛନ୍ତି ବୋଲି ଅଭିଯୋଗ କରିଥିଲେ।
ପୀଡ଼ିତା ଅଭିଯୋଗ କରିଛନ୍ତି ଯେ କୂଲଦୀପ ସିଂ ସେନଗାର ଓ ତାଙ୍କ ସହଯୋଗୀମାନେ ମୋ ପରିବାରକୁ ବରବାଦ କରିଦେଇଛନ୍ତି। ଏଥିରେ ବିଜେପି ଗୋଟିଏ ପଟେ ଦୋଷୀଙ୍କୁ ଜେଲକୁ ପଠାଇବ ବୋଲି କହୁଥିବା ବେଳେ ଅନ୍ୟପଟେ ସେମାନଙ୍କୁ ଦଳରୁ ଟିକେଟ୍ ମିଳୁଛି। ଏଥିରୁ ମୋତେ ନ୍ୟାୟ କିପରି ମିଳିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଜିଲ୍ଲା ପଞ୍ଚାୟତ ସଭାପତି ନିର୍ବାଚନ ଲାଗି ଦୀର୍ଘ ଘଣ୍ଟାଚକଟା ପରେ ବୁଧବାର ବିଳମ୍ବିତ ରାତ୍ରିରେ ଅଋଣ ସିଂହଙ୍କୁ ପ୍ରାର୍ଥୀ କରିବାକୁ ପାର୍ଟି ନିଷ୍ପତ୍ତି ନେଇଥିଲା।