ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇ ଜଳାର୍ଣ୍ଣବ
(ଓଡ଼ିଶାଫାଷ୍ଟ ବ୍ୟୁରୋ): ମୁମ୍ବାଇରେ ଆଜି ଅତି ପ୍ରବଳ ବର୍ଷା ହୋଇ ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହୋଇ ପଡିଥିବା ଜଣାପଡିଛି । ରେଳପଥ ପାଣିରେ ବୁଡିଯାଇଥିବାରୁ ପ୍ରାୟ ସମସ୍ତ ଲୋକାଲ ଟ୍ରେନ ବାତିଲ କରାଯାଇଛି । ମୁମ୍ବାଇ ସହରର ଅଧିକାଂଶ ରାସ୍ତାରେ ମଧ୍ୟ ପାଣି ଭର୍ତ୍ତି ହୋଇଯାଇଛି । ତେଣୁ ବସ୍ ରୁଟରେ ମଧ୍ୟ ପରିବର୍ତ୍ତନ ହୋଇଛି । ମୁମ୍ବାଇରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଛୁଇଁଛି । ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ ସାନ୍ତା କ୍ରୁଜରେ ସକାଳ ସୁଦ୍ଧା ୫୯.୬ ମିଲିମିଟର ବର୍ଷା ହୋଇଛି । ଏହା ବ୍ୟତୀତ କୋଲାବାରେ ୭୭ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି । ଜୁନ ମାସରେ ଏପର୍ଯ୍ୟନ୍ତ ମୁମ୍ବାଇରେ ମୋଟ ୧୮୫ ମିଲିମିଟର ବର୍ଷା ହୋଇଛି । ମୁମ୍ବାଇର ଅଧିକାଂଶ ଅଞ୍ଚଳରେ ୪୦ ରୁ ୭୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇଛି । ଅନ୍ୟପକ୍ଷରେ ଗତ ଦିନରେ ନାଭି ମୁମ୍ବାଇରେ ୧୨୦ ମିଲିମିଟର ବର୍ଷା ହୋଇଛି ।