ସ୍ପୁଟନିକ୍-ଭି ପ୍ରସ୍ତୁତ ଲାଗି ଟେକ୍ନୋଲୋଜି ଯୋଗାଇବ ଋଷିଆ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଋଷିଆ କରୋନା ମହାମାରୀ ବିରୋଧରେ ନିଜର ସ୍ୱଦେଶୀ ଟିକା ସ୍ପୁଟନିକ-ଭି ପ୍ରସ୍ତୁତ କରିବା ପାଇଁ ଯୋଗାଇବ ଟେକ୍ନୋଲୋଜି। ଋଷିଆ ଏକମାତ୍ର ରାଷ୍ଟ୍ର ଭାବେ ନିଜ ସ୍ୱଦେଶୀ ଟିକା ପ୍ରସ୍ତୁତ ବ୍ୟବହାର କରୁଥିବା ଟେକ୍ନୋଲୋଜି ଯୋଗାଇବାକୁ ରାଜି ହୋଇଛି। ଭାରତର ଟିକା ଉତ୍ପାଦନକାରୀ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ ଋଷର ଏହି ଟିକା ‘ସ୍ପୁଟନିକ ଭି’କୁ ତିଆରି କରିବ। ଏଥିଲାଗି ଡିସିଜିଆଇ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆକୁ ଅନୁମତି ଦେଇଛନ୍ତି।
ଋଷିଆର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଶନିବାର ଟେକ୍ନୋଲୋଜି ଯୋଗାଇବେ ବୋଲି ସୂଚନା ଦେଇଛନ୍ତି। ଋଷ ଟେକ୍ନୋଲୋଜି ଯୋଗାଇବା ସହିତ ଟିକା ମଧ୍ୟ ଯୋଗାଇବ। ଋଷ ପ୍ରାୟ ୬୬ଟି ଅନ୍ୟ ରାଷ୍ଟ୍ରକୁ ଟିକା ଯୋଗାଇ ସାରିଛି। ପାନାସିଆ ବାୟୋଟେକ ଋଷିଆନ ସୋଭେରିନ ୱେଲଥ ଫଣ୍ଡ (ଆରଡିଆଇଏଫ୍) ସହିତ ମିଶି ଭାରତ ସ୍ପୁଟନିକ-ଭି ଟିକାର ଉତ୍ପାଦନ ଆରମ୍ଭ କରିଦେଇଛି। ସ୍ପୁଟନିକ-ଭି ଟିକା ପ୍ରଭାବକୁ ନେଇ ହୋଇଥିବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ଋଷର ରାଷ୍ଟ୍ରପତି କହିଥିଲେ ଯେ ୟୁରୋପରେ ଏହି ଟିକା ପଞ୍ଜିକରଣରେ ବିଳମ୍ବ ହେଉଛି। ତେବେ ଏହା ପଛରେ ପ୍ରତିଯୋଗିତା ସହିତ ବ୍ୟବସାୟିକ ସ୍ୱାର୍ଥ ରହିଛି ବୋଲି ସେ କହିଛନ୍ତି।
ପୁଟିନ ଏହି ମନ୍ତବ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ଦେଇଥିବା ବେଳେ ବୈଠକରେ ପ୍ରେସ ଟ୍ରଷ୍ଟ ଅଫ୍ ଇଣ୍ଡିଆ, ଆସୋସିଏଟେଡ୍ ପ୍ରେସ ଏବଂ ରଏଟର୍ସ ସମେତ ପ୍ରମୁଖ ଆନ୍ତର୍ଜାତୀୟ ସମ୍ବାଦ ଏଜେନ୍ସିର ବରିଷ୍ଠ ସମ୍ପାଦକ ଉପସ୍ଥିତ ଥିଲେ। ସ୍ପୁଟନିକ-ଭି ୬୬ଟି ଦେଶରେ ବିକ୍ରି କରାଯାଉଥିବା ବେଳେ ଏଥିଲାଗି ବଜାରରେ ପ୍ରତିଯୋଗିତା ଦେଖିବାକୁ ମିଳୁଛି।