ପରକୀୟା ପ୍ରୀତି ଏକ ଅପରାଧ ନୁହେଁ:ସୁପ୍ରିମକୋର୍ଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତ ଭଳି ଏକ ସଭ୍ୟ, ଏବଂ ସଂସ୍କୃତି ପୁର୍ଣ ରାଷ୍ଟ୍ର ରେ ପରକୀୟା ପ୍ରୀତି ଏକ ଅପରାଧ ନୁହେଁ ବୋଲି ଦେଶର ସର୍ବୋଚ୍ଚ ନ୍ୟାୟାଳୟ, ଏଭଳି ଏକ ରାୟ ଶୁଣାଇଛନ୍ତି ।ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ରାୟ ଦେଇ କହିଛନ୍ତି ଯେ, ପରକୀୟା ପ୍ରୀତି ବା ବ୍ୟଭିଚାର ଏକ ଅପରାଧ ନୁହେଁ । ଏ ସଂପର୍କିତ ଆଇନ ଅସାମ୍ବିଧାନିକ । କୌଣସି ଆଇନ ଯାହାକି ବ୍ୟକ୍ତିର ସମ୍ମାନରେ ଆଞ୍ଚ ଆଣୁଥିବ, ସଭ୍ୟ ସମାଜରେ ନାରୀକୁ ସମାନ ଅଧିକାର ଦେଉନଥିବ, ତାକୁ ସମ୍ବିଧାନ ଭର୍ତ୍ସନା କରେ । ପରକୀୟା ପ୍ରୀତି ଭଳି ଏକ ସଙ୍ଗୀନ ଅଭିଯୋଗରେ ଆଗରୁ କେବଳ ପୁରୁଷ ଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ବିଧାନ କରାଯାଉଥିଲା କିନ୍ତୁ ସଂପୃକ୍ତ ମହିଳାଙ୍କୁ ପୀଡ଼ିତା ବୋଲି ବିଚାର କରି ଦଣ୍ଡିତ କରାଯାଉ ନଥିଲା । ପ୍ରଧାନ ବିଚାରପତି ସ୍ପଷ୍ଟ କରିଛନ୍ତି, “ଏହା ନିଃସନ୍ଦେହ ଯେ, ଯଦି ବ୍ୟଭିଚାରର ପ୍ରମାଣ ମିଳେ, ତେବେ ତାହା ଛାଡ଼ପତ୍ରର ଆଧାର ହୋଇ ପାରିବ। ଆଉ ଯଦି ଏହି କାରଣରୁ ଦମ୍ପତିଙ୍କ ମଧ୍ୟରୁ କେହି ଆତ୍ମହତ୍ୟା କରନ୍ତି, ତେବେ ଏଥିପାଇଁ ଆର ଜଣକୁ ଦାୟୀ କରାଯାଇ ପାରିବ ଏବଂ ସେହି ଅନୁସାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରିବ।”

ଏହାକୁ ନେଇ ବିଭିନ୍ନ ସାମାଜିକ ସଂଗଠନ ତରଫରୁ ସୁପ୍ରିମକୋର୍ଟ ରେ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଥିଲା । ଶେଷରେ ସୁପ୍ରିମକୋର୍ଟ ୧୫୭ବର୍ଷ ଧରି ବଳବତ୍ତର ଥିବା ୪୯୭ଧାରା କୁ ସମ୍ପୂର୍ଣ୍ଣ ଉଛେଦ କରିବା ସହ ପରକୀୟା ପ୍ରୀତି ଅପରାଧ ନୁହେଁ ବୋଲି ତାଙ୍କ ରାୟ ରେ ଦର୍ଶାଇଛନ୍ତି । କିନ୍ତୁ ପରକୀୟା ପ୍ରୀତି ପ୍ରମାଣିତ ହେଲେ ଏହାକୁ ନେଇ ଛାଡ଼ପତ୍ର ହୋଇପାରିବ ବୋଲି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ରାୟରେ କହିଛନ୍ତି ।

Leave a comment