ସନ୍ଧ୍ୟା ୫ଟା ୩୦ରେ ବସିବ ସର୍ବଦଳୀୟ ବୈଠକ, ବଢିବ ଲକ୍ଡାଉନ୍ ଅବଧି !!
ଓଡ଼ିଶା ଫାଷ୍ଟ (ବ୍ୟୁରୋ): ସନ୍ଧ୍ୟା ୫ଟା ୩୦ରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭା ସମ୍ମିଳନୀ କକ୍ଷରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର କ’ଣ କ’ଣ ପଦକ୍ଷେପ ଗ୍ରହଣ କରିଛନ୍ତି ସେସମ୍ୱନ୍ଧରେ ସୂଚନା ଦେବେ ।
ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଲକ୍ଡାଉନ୍ ଏବଂ ସଟ୍ଡାଉନ୍ ଅବଧି ବୃଦ୍ଧି ପାଇଁ ପ୍ରସ୍ତାବ ଦେବାକୁ ସ୍ଥିର କରିବା ସହ ଟୀକା ବଣ୍ଟନ ତ୍ରୁଟି ଏବଂ ହସ୍ପିଟାଲ ଗୁଡ଼ିକରେ ରୋଗୀଙ୍କ ଚିକିତ୍ସାରେ ଅବହେଳାକୁ ପ୍ରସଙ୍ଗ କରିବେ ବୋଲି କହିଛନ୍ତି ।
ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି କି ସେ ମୁଖ୍ୟମନ୍ତ୍ରୀ କୋଭିଡ ପରିଚାଳନାକୁ ନେଇ ସର୍ବଦଳୀୟ ବୈଠକ ଡାକିବାକୁ ଦାବି କରିଥିଲେ । କରୋନା ମହାମାରୀରେ ଜୀବନ ଓ ଜୀବିକା ଉଭୟ ପ୍ରଭାବିତ ହୋଇଛି । ଗରିବଙ୍କ ପାଇଁ ସରକାର ୧୦ କିଲୋ ଚାଉଳ, ଡାଲି ମାଗଣା ଦେଇ ବହୁତ ବଡ଼ ଉପକାର କରିଦେଇଛନ୍ତି ବୋଲି ଯଦି ଭାବୁଥାନ୍ତି, ତାହେଲେ ଏହା ସରକାରଙ୍କ ଭୁଲ ଧାରଣା। ଚିହ୍ନଟ ହୋଇଥିବା ପ୍ରକୃତ ଗରିବଙ୍କୁ ମାସିକ ନଗଦ ଆକାରରେ ୬ ହଜାର ଟଙ୍କା ଦେବା ପାଇଁ କଂଗ୍ରେସ ଦଳ ବହୁ ଦିନରୁ ଦାବି କରିଆସୁଛି। ଯଦି ରାଜ୍ୟ ସରକାରଙ୍କ ପାଖରେ ଅର୍ଥର ଅଭାବ ରହିଛି, ତାହେଲେ ଅତି କମ୍ରେ ମାସିକ ୨ ହଜାର ଟଙ୍କା ଦିଅନ୍ତୁ। ଏ ଯାଏ କାହିଁକି ଘରକୁ ଘର ବୁଲି ଲୋକଙ୍କର କୋଭିଡ ପରୀକ୍ଷା କରାଯାଉନି।
ଅପରପକ୍ଷରେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି ଯେ ଓଡ଼ିଶାର ସ୍ଥିତି ଅନ୍ୟ ରାଜ୍ୟ ତୁଳନାରେ ଭଲ ଅଛି। ଏବେ ଲୋକମାନଙ୍କୁ ସଚେତନ କରିବା ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି। ଜନପ୍ରତିନିଧି ଭାବେ ଆମମାନଙ୍କର ଦାୟିତ୍ବ, କୋଭିଡ ଗାଇଡଲାଇନକୁ ଲୋକମାନେ ଯେପରି ଠିକ୍ ଭାବେ ପାଳନ କରିବେ ସେମାନଙ୍କୁ ବୁଝାଇବାକୁ ପଡ଼ିବ। ବିରୋଧୀଙ୍କ ଅଧିକାର ରହିଛି, ସେମାନେ ସରକାରଙ୍କ ଆଗରେ ପ୍ରସ୍ତାବ ରଖିପାରିବେ। କେବଳ ଓଡ଼ିଶା ନୁହେଁ, ସାରା ପୃଥିବୀରେ କୋଭିଡ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ଏଭଳି ପରିସ୍ଥିତିକୁ ସାମ୍ନା କରିବା ପାଇଁ ସମସ୍ତଙ୍କ ସହଯୋଗ ନିତାନ୍ତ ଆବଶ୍ୟକ ।