ଗିରଫ ହେଲେ ଅଭିଜିତ ଆୟାର, ୧ଲକ୍ଷ ଟଙ୍କାରେ ପାଇଲେ ଜାମିନ

0

ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଗତ ଚାରିଦିନ ହେବ ବିଧାନସଭା ଭିତରେ ଓ ବାହାରେ ଅନେକ ଝଡ ତୋଫାନ ପରେ ଦିଲ୍ଲୀରୁ ଗିରଫ ହୋଇଛନ୍ତି ଅଭିଜିତ ଆୟାର ମିତ୍ର । କୋଣାର୍କ ମନ୍ଦିର ସମ୍ପର୍କରେ ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରି ଅଶାଳୀନ ମନ୍ତବ୍ୟ ଦେଇଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ ଆୟାର ମିତ୍ରକୁ ଗିରଫ କରାଯାଇଛି । ଦିଲ୍ଲୀର ନିଜାମୁଦ୍ଧିନ ଥାନା ପୁଲିସ ସହାୟତାରେ ଓଡ଼ିଶା ପୋଲିସ ତାଙ୍କୁ ଗିରଫ କରିଛି । ତାଙ୍କୁ ସାକେତ କୋର୍ଟରେ ହାଜର କରାଯିବାପରେ ଅଭିଜିତ ଆୟାରଙ୍କୁ ୧ ଲକ୍ଷ ଟଙ୍କା ବେଲ ବଣ୍ଡରେ ସାକେତ କୋର୍ଟରୁ ସର୍ତ୍ତ ମୂଳକ ଜାମିନ ମିଳିଯାଇଥିବା ସୂଚନା ମିଳିଛି । ଆସନ୍ତା ୨୮ ତାରିଖରେ କୋଣାର୍କ ଥାନାରେ ହଜାର ହେବାକୁ ଅଭିଜିତଙ୍କୁ ନିର୍ଦେଶ ଦିଆଯାଇଛି ।

ସୂଚନା ଯୋଗ୍ୟ ଯେ, ଅଭିଜିତର ଓଡ଼ିଶା ବିରୋଧୀ ମନ୍ତବ୍ୟ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଗୃହ କମିଟି ଗଠନ କରାଯାଇଛି । ବିରୋଧୀ ଦଳ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ବିଧାୟକ ଦେବୀପ୍ରସାଦ ମିଶ୍ର, କନକବର୍ଦ୍ଧନ ସିଂହଦେଓ, ପ୍ରମିଳା ମଲ୍ଲିକ, ଅରୁଣ ସାହୁ ଓ ସଞ୍ଜୟ କୁମାର ଦାସବର୍ମା ସଭ୍ୟ ରହିଛନ୍ତି । 
ବିଧାନସଭାରେ ଏନେଇ ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ଆସିଥିବାବେଳେ ସମସ୍ୱରରେ ଆୟାରଙ୍କୁ ଗିରଫ କରିବା ପାଇଁ ଦାବି ଉଠିଥିଲା । ଆୟାରଙ୍କୁ ବିଧାନସଭାକୁ ସମନ କରାଯାଉ ଓ ଦଣ୍ଡବିଧାନ କରାଯାଉ ବୋଲି ସବୁ ଦଳର ବିଧାୟକମାନେ ଦାବି କରିଥିଲେ । ସ୍ୱାଧୀକାର ପ୍ରସ୍ତାବ ନେଇ ଆଲୋଚନା ପରେ କି ପଦକ୍ଷେପ ଗ୍ରହଣ କରାଯିବ ସେନେଇ ବାଚସ୍ପତି ସର୍ବଦଳୀୟ ବୈଠକ ଡକାଇଥିଲେ ।
 
ପୂର୍ବାହ୍ନ ୧୦.୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ଆଣିଥିଲେ । ଅଭିଜିତ ଆୟାର ମିତ୍ର ବିଧାୟକମାନଙ୍କୁ ବୁଦ୍ଦୁ ବୋଲି କହିଥିଲେ । ଏଭଳି କଟୁ ମନ୍ତ୍ୟବକୁ ନେଇ ଏହି ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ଆସିଥିଲା । ଫଳରେ ପ୍ରଶ୍ନକାଳକୁ ସମ୍ପୂର୍ଣ୍ଣ ବାତିଲ କରାଯାଇ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ବାଚସ୍ପତି ପ୍ରଦୀପ କୁମାର ଆମତ ସୁଯୋଗ ଦେଇଥିଲେ । ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିଧାୟକ ଅରୁଣ ସାହୁ, ପ୍ରଦୀପ ପୁରୋହିତ, ପ୍ରତାପ ଜେନା, ତାରାପ୍ରସାଦ ବାହିନୀପତି, ଅମର ଶତପଥୀ, ସୌମ୍ୟରଞ୍ଜନ ଦାସ ଓ କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖ ଆୟାରକୁ ବିଧାନସଭାକୁ ସମନ କରାଯାଉ ବୋଲି ଦାବି କରିଥିଲେ । 

ସେହିପରି ବିଧାନସଭାରେ ଉପସ୍ଥିତ ରହୁଥିବା ଗଣମାଧ୍ୟମଙ୍କ ବିରୋଧରେ ମଧ୍ୟ ଅଭିଜିତ ଆୟାର କଟୁ ମନ୍ତବ୍ୟ ଦେଇ ଓଡିଶା ସାମ୍ବାଦିକଙ୍କ ମନରେ କୁଠାରଘାତ କରିଛନ୍ତି ବୋଲି ଅଭିଯୋଗ କରି ଅଭିଜିତଙ୍କୁ ଗିରଫ କରିବାକୁ ଦାବି କରିଥିଲା ସାମ୍ବାଦିକ ସଙ୍ଘ ।

Leave a comment