ଭୁବନେଶ୍ୱରରେ ଆରମ୍ଭ ହେଲା ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଟିକାକରଣ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଡ୍ରାଏ ରନ୍ ପରେ ଆଜିଠୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଟିକାକରଣ। ଏଥିରେ ୧୮ ବର୍ଷରୁ ୪୪ ବର୍ଷ ବୟସର ବ୍ୟକ୍ତିଙ୍କୁ ଟିକାକରଣ କରାଯିବ। ଏଥିପାଇଁ ବିଏମସି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି। ରାଜଧାନୀରେ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ସକାଳ ୮ଟାରୁ ଦିନ ଗୋଟାଏ ମଧ୍ୟରେ ଟିକାକରଣ କରାଯିବ।
ଟିକାକରଣ ପାଇଁ ଅନଲାଇନ ପଞ୍ଜୀକରଣ ସହ ସ୍ଲଟ୍ ବୁକିଂ କରିଥିବା ବ୍ୟକ୍ତି ନିର୍ଦ୍ଧାରିତ ତାରିଖ ଓ କେନ୍ଦ୍ରକୁ ଯାଇ ଟିକା ନେଇ ପାରିବେ। ବିନା ପଞ୍ଜୀକରଣରେ ଟିକା ଦିଆଯିବ ନାହିଁ। ପ୍ରତି ସ୍ୱାସ୍ଥ୍ୟକେନ୍ଦ୍ରରେ ୨ଶହ ଜଣଙ୍କୁ ଟିକା ଦିଆଯିବ । ପରେ ୪୫ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ପାଇଁ ଅପରାହ୍ନ ୩ଟାରୁ ୬ଟା ପର୍ଯ୍ୟନ୍ତ ଟିକାକରଣ ହେବ।
ରାଜଧାନୀରେ କ୍ୟାପିଟାଲ ହସ୍ପିଟାଲ, ଏମସ, ସେଂଟ୍ରାଲ ରେଲୱେ ହସ୍ପିଟାଲ ସମେତ ସମସ୍ତ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଶାଇ ମୋଟ ୨୬ଟି ସ୍ଥାନରେ ଟିକା କେନ୍ଦ୍ର କରାଯାଇଛି। ଟିକା ନେବାକୁ ଆଧାର କାର୍ଡ ଓ ମୋବାଇଲ ନମ୍ବର ନେଇ ଆସିବା ବାଧ୍ୟତାମୂଳକ କରାଯାଇଛି।
ସେପଟେ ସାମ୍ବାଦିକଙ୍କୁ କୋଭିଡ ଯୋଦ୍ଧା ଘୋଷଣା ପରେ ଟିକାକରଣ ନେଇ ବିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର କଟକ ରୋଡ ସ୍ଥିତ ଯାତ୍ରୀ ନିବାସରେ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇଛି। ସକାଳ ୧୧ଟାରୁ ଅପରାହ୍ନ ୨ଟା ମଧ୍ୟରେ ୧୮ରୁ ୪୪ ବର୍ଷ ଏବଂ ଅପରାହ୍ନ ୩ଟାରୁ ୫ଟା ମଧ୍ୟରେ ୪୫ ବର୍ଷର ଊର୍ଦ୍ଧ୍ୱ ସାମ୍ବାଦିକଙ୍କୁ ଟିକା ଦିଆଯିବ। ସାଙ୍ଗରେ ଆଧାର କାର୍ଡ ଏବଂ ଆଇକାର୍ଡ ନେଇ ଯିବାକୁ ବିଏମସି ପକ୍ଷରୁ କୁହାଯାଇଛି।