ଅଧା ନିର୍ବାଚନରେ ଟିଏମସି ସମ୍ପୂର୍ଣ୍ଣ ସଫା ହୋଇଯାଇଛି: ମୋଦୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପଶ୍ଚିବଙ୍ଗର ବର୍ଦ୍ଧମାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଟିଏମସିକୁ ଟାର୍ଗେଟ କରିଛନ୍ତି। ମୋଦୀ କହିଛନ୍ତି ଯେ, ଅଧା ନିର୍ବାଚନରେ ଟିଏମସି ସମ୍ପୂର୍ଣ୍ଣ ସଫା ହୋଇଯାଇଛି। ସେଥିପାଇଁ ଦୀଦୀଙ୍କ ବ୍ୟାକୁଳତା ଏବେ ବଢ଼ିବାରେ ଲାଗିଛି। ଦୀଦୀଙ୍କୁ କ’ଣ ପାଇଁ ତିକ୍ତତା ଏତେ ପସନ୍ଦ ବୁଝାପଡ଼ୁନି?
ମୋଦୀ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ହୋଇଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ବଙ୍ଗଳାବାସୀ ଏତେ ମାତ୍ରାରେ ଚୌକା ଛକ୍କା ମାରିଛନ୍ତି କି ବିଜେପି ସିଟରେ ସେଞ୍ଚୁରୀ ହୋଇଯାଇଛି। ଗୋଟିଏ ପଟେ ନନ୍ଦୀଗ୍ରାମରେ ବଙ୍ଗଳାର ଲୋକ ଦୀଦୀଙ୍କୁ କ୍ଲିନ ବୋଲ୍ଡ କରି ଦେଇଛନ୍ତି। ଏହାର ଅର୍ଥ ବଙ୍ଗଳାରେ ଦୀଦୀଙ୍କ ପାଳି ସମାପ୍ତ ହୋଇଯାଇଛି। ଅନ୍ୟପଟେ ବଙ୍ଗଳାବାସୀ ଦୀଦୀଙ୍କ ପୁରା ଟିମକୁ ମଇଦାନ ବାହାରର ରାସ୍ତା ଦେଖାଇଛି। ବଙ୍ଗଳାରୁ କଂଗ୍ରେସ ଥରେ ବିଦା ହେବାପରେ ଆଉ ଶାସନ ଗାଦିକୁ ଫେରି ପାରି ନଥିବା ଦୀଦୀ ଭଲଭାବେ ଜାଣିଛନ୍ତି । ବମପନ୍ଥୀ ଗଲା ତ ଆଉ ଆସିଲା ନାହିଁ। ସେହିପରି ଦୀଦୀ ଯଦି ଥରେ ଯିବେ ଆଉ ଫେରିପାରିବେ ନାହିଁ। ସେଥିପାଇଁ ଏବେ ଦୀଦୀ ବଙ୍ଗଳା ଲୋକଙ୍କ ଉପରେ ରାଗିବା ସ୍ୱାଭାବିକ।