ରାଜ୍ୟ ବାହାରୁ ଆସୁଥିଲେ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦେଖି ଜାରିହୋଇଛି ନୂଆ ଗାଇଡ୍ଲାଇନ। ଏଣିକି ଅନ୍ୟ ରାଜ୍ୟରୁ ଓଡ଼ିଶା ଆସିଲେ ଆରଟି-ପିସିଆର ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି। ଦେଶ ଓ ରାଜ୍ୟରେ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦେଖି ସ୍ୱତନ୍ତ୍ର ରିଲିଫ୍ କମିଶନର ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ବାହାର ରାଜ୍ୟରୁ ବସ୍, ଟ୍ରେନ୍ ଓ ବିମାନଯୋଗେ ଓଡ଼ିଶା ଆସୁଥିବା ଲୋକଙ୍କପାଇଁ କଟକଣାକୁ କଡ଼ାକଡ଼ି କରାଯାଇଛି। ବାହାର ରାଜ୍ୟରୁ ଆସୁଥିବା ଲୋକ ୭୨ଘଣ୍ଟା ପୂର୍ବର କୋଭିଡ୍ ଆରଟି-ପିସିଆର୍ ନେଗେଟିଭ୍ ରିପୋର୍ଟ ଅଥବା ଦ୍ୱିତୀୟ ଡୋଜ୍ ଭ୍ୟାକ୍ସିନ୍ ନେଇଥିବା ରିପୋର୍ଟ ଦେବେ। ଯଦି କୌଣସି ରିପୋର୍ଟ ନଥିବ ତେବେ ସେମାନଙ୍କୁ ୭ଦିନ ଲାଗି ବାଧ୍ୟତାମୂଳକ ହୋମ୍ କ୍ୱାରେଣ୍ଟାଇନ୍ କିମ୍ବା ଗୋଷ୍ଠୀଗତ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ।
ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଆଦି ୧୬ଟି ଜିଲ୍ଲାରେ ଆବଶ୍ୟକତା ଭିତ୍ତିରେ ଟିଏମସି ସ୍ଥାପନ ଓ ପରିଚାଳନା ଲାଗି ନିର୍ଦ୍ଦେଶ ଦିଆଯାଇଛି। ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଲାଗି ଗୋଷ୍ଠୀଗତ କ୍ୱାରେଣ୍ଟାଇନ୍ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଦିଆଯିବ। ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଉଭୟ ପଟୁ ସାଧାରଣ ପରିବହନ ବ୍ୟବସ୍ଥାକୁ ଏପ୍ରିଲ୍ ୩୦ ଯାଏ ବାତିଲ୍ କରାଯାଇଛି । ସୀମା ଦେଇ ଓଡ଼ିଶା ଆସୁଥିବା ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଭ୍ୟାକ୍ସିନ୍ ସାର୍ଟିଫିକେଟ୍ ଅଥବା ୭୨ ଘଣ୍ଟା ମଧ୍ୟରେ କରିଥିବା କୋଭିଡ୍ ଆରଟି-ପିସିଆର୍ ରିପୋର୍ଟ ଦେଖାଇବାକୁ ପଡ଼ିବ। ସମସ୍ତ ଶିଳ୍ପସଂସ୍ଥା, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ କୋଭିଡ୍ କଟକଣା ମାନିବା ସହ ନିଜସ୍ୱ ଆଇସୋଲେସନ୍ ବ୍ୟବସ୍ଥା କରିବେ। କୋଭିଡ୍ ପଜିଟିଭ୍ ବାହାରିଲେ ସଂସ୍ଥା ସେମାନଙ୍କ ଲାଗି ଖର୍ଚ୍ଚକରିବ। କୌଣସି ସଂସ୍ଥା କୋଭିଡ୍ ନିୟମ ପାଳନ ନକଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନର ଏନେଇ ନିୟମିତ ଶିଳ୍ପ ଉଦ୍ୟୋଗ, ଶିକ୍ଷାନୁଷ୍ଠାନ, ବାଣିଜ୍ୟିକ ପ୍ରତିଷ୍ଠାନ ସହ ଆଲୋଚନା କରିବେ। କୋଭିଡ୍ କଟକଣା ମାନିବା ଯେପରିିକି ମାସ୍କପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ଥର୍ମାଲ୍ ସ୍କାନିଂ ଓ ବାରମ୍ବାର ସାବୁନରେ ହାତ ଧୋଇବା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି।

Leave a comment