ଚୀନରେ ଠାବ ହେଲା ନୂଆ ଭାଇରସ ‘ଆରପିଓ୍ୱାଇଏନ୦୬’, ସଂକ୍ରମଣ ହେଲେ ସ୍ଥିତି ହେବ ସାଙ୍ଘାତିକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଚୀନରୁ ଆଉ ଏକ ନୂଆ ଭାଇରସ ଠାବ ହୋଇଛି । ଯାହା କରୋନା ଭାଇରସ ସହ ୯୪.୫ ପ୍ରତିଶତ ମେଳ ଖାଉଥିବା ବୈଜ୍ଞାନିକମାନେ ଦାବି କରିଛନ୍ତି ।
ସାନଡଙ୍ଗ୍ ମେଡିକାଲ ୟୁନିଭର୍ସିଟିରର ରିପୋର୍ଟ ଅନୁସାରେ, ଏକ ନୂଆ ଭାଇରସ ଠାବ ହୋଇଛି । ଯାହାର ନାଁ ରହିଛି ଆରପିଓ୍ୱାଇଏନ୦୬ ଭାଇରସ । ଏହାର ଜେନେଟିକ୍ ସାର୍ସ-କୋଭ୍-୨ ସହ ୯୫ ପ୍ରତିଶତ ସମାନତା ରହିଛି । ଏହି ଭାଇରସ ଉପରେ ମେ ୨୦୧୯ରୁ ନଭେମ୍ବର ୨୦୨୦ ଯାଏଁ ଗବେଷଣା କରାଯାଉଥିଲା । ୨୩ ପ୍ରଜାତିର ବାଦୁଡିଙ୍କଠାରୁ ୪୧୧ଟି ନମୂନା ସଂଗ୍ରହ କରାଯାଇ ଗବେଷଣା ହୋଇଥିଲା ।
ଗବେଷଣାରେ ଆହୁରି ମଧ୍ୟ ସାମ୍ନାକୁ ଆସିଛି ଯେ. ଏହି ବାଦୁଡିଙ୍କ ଶରୀରରେ ୪ଟି ଭାଇରସ ଠାବ ହୋଇଛି । ଏହି ଚାରୋଟି ମଧ୍ୟରୁ ଆରପିଓ୍ୱାଇଏନ୦୬ ସହ କରୋନା ଭାଇରସର ସାମଞ୍ଜସ୍ୟ ଅଛି । ଏଥିରେ ଯେଉଁ ସ୍ପାଇକ୍ ପ୍ରୋଟିନ୍ ମିଳିଛି ତାହା ମଣିଷଙ୍କୁ ସଂକ୍ରମିତ କରିବାରେ ସକ୍ଷମ । ଏହି ତଥ୍ୟ ଭବିଷ୍ୟତରେ ଅନେକ ନୂଆ ଗବେଷଣାରେ କାମ ଦେବ ବୋଲି ବୈଜ୍ଞାନିକମାନେ କହିଛନ୍ତି ।
ଅନୁସନ୍ଧାନରେ ସାମିଲ ଥିବା ବୈଜ୍ଞାନିକଙ୍କ କହିବାନୁସାରେ, ଏହି ଭାଇରସର କିପରି ସୃଷ୍ଟି ହେଲା ତାକୁ ଟ୍ରାକ୍ କରିବା ଆବଶ୍ୟକ । ଯଦି ଏହା ବ୍ୟାପିଲା ତେବେ କରୋନାଠୁ ମଧ୍ୟ ଭୟଙ୍କର ହେବ । ଏବେସୁଦ୍ଧା ବୈଜ୍ଞାନିକମାନେ କରୋନା ଭାଇରସ କେଉଁଠୁ ବ୍ୟାପିଛି ସେ ବିଷୟରେ କୌଣସି ସ୍ପଷ୍ଟ ରିପୋର୍ଟ ଦେଇପାରି ନାହାଁନ୍ତି । କିନ୍ତୁ ବଜ୍ରକାପ୍ତାରୁ ହିଁ ଏହା ବ୍ୟାପିଥିବା ଅଧିକ ଦାବି ହେଉଛି । ତେବେ ପ୍ରଥମେ ଚୀନର ଉହାନ ସହରର ଏକ ମାଂସ ବଜାରରୁ କରୋନା ଭାଇରସ ବ୍ୟାପିଥିଲା ।