ମିଳିଲାନି ଟିକେଟ୍, ବିଜେପି ଛାଡିଲେ ୨ ବିଧାୟକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆସାମ ବିଧାନସଭା ନିର୍ବାଚନ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ରାଜ୍ୟର ସମସ୍ତ ବିଧାନସଭା ଆସନ ପାଇଁ ରାଜନୈତିକ ଦଳଗୁଡିକ ନିଜ ନିଜର ପ୍ରାର୍ଥୀ ଘୋଷଣା କରୁଛନ୍ତି। ଅନେକ ପୁରୁଣା ବିଧାୟକଙ୍କୁ ପୁନର୍ବାର ଟିକେଟ୍ ମିଳୁଥିବା ବେଳେ ଅନେକ ପୂର୍ବତନ ବିଧାୟକଙ୍କୁ ନିର୍ବାଚନ ଲଢିବାକୁ ସିଟ୍ ମିଳୁନାହିଁ। ଫଳରେ ନେତାଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ଏହି କ୍ରମରେ ନିର୍ବାଚନ ଲଢିବାକୁ ଟିକେଟ୍ ନମିଳିବାରୁ ବିଜେପିର ଦୁଇ ଜଣ ବିଧାୟକ ପାର୍ଟିରୁ ଇସ୍ତଫା ଦେଇଛନ୍ତି।
ଏହି ଦୁଇ ବିଧାୟକ ହେଉଛନ୍ତି ବିଧାନସଭାର ପୂର୍ବତନ ଉପ ବାଚସ୍ପତି ଦିଲୀପ କୁମାର ପଲ୍ ଓ ଶିଳାଦିତ୍ୟ ଦେବ। ସେମାନେ ଅଭିଯୋଗ କରିଛନ୍ତି ଯେ, ବିଜେପିର କିଛି ନେତା ତାଙ୍କ ବିରୋଧରେ ଷଡଯନ୍ତ୍ର ରଚିଛନ୍ତି। ଫଳରେ ସେମାନଙ୍କୁ ଟିକେଟ୍ ମିଳିଲା ନାହିଁ। ଏହା ପୂର୍ବରୁ ବିଜେପି ନେତା ତଥା କ୍ୟାବିନେଟ୍ ମନ୍ତ୍ରୀ ସୁମ ରୋଙ୍ଗହାଙ୍ଗ ଦୀଫଙ୍କୁ ବିଧାନସଭା ଆସନରୁ ଟିକେଟ୍ ନମିଳିବାରୁ ରବିବାର ପାର୍ଟିରୁ ଇସ୍ତଫା ଦେଇ କଂଗ୍ରେସରେ ସାମିଲ ହୋଇଛନ୍ତି।
ସୂଚନାଯୋଗ୍ୟ, ଆସାମରେ ତିନୋଟି ପର୍ଯ୍ୟାୟରେ ମତଦାନ ହେବ। ମାର୍ଚ୍ଚ ୨୭ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଏପ୍ରିଲ ୧ରେ ଦ୍ଵିତୀୟ ଏବଂ ଏପ୍ରିଲ ୬ରେ ତୃତୀୟ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ରାଜ୍ୟରେ ବିଧାନସଭାର ମୋଟ୍ ସିଟ୍ ସଂଖ୍ୟା ୧୨୬। ମେ ୨ରେ ଫଳାଫଳ ପ୍ରକାଶ ପାଇବ।