ଏଥର ହେବନି ଖଣ୍ଡଗିରି ମେଳା, ପ୍ରତିଦିନ ହୋଇଥାନ୍ତେ ୫୦ ହଜାରରୁ ଅଧିକ ଲୋକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଚଳିତବର୍ଷ ହେବନି ଖଣ୍ଡଗିରି ମେଳା। ଖଣ୍ଡଗିରି ମେଳା ଓ ଯାତ୍ରାକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଆଜି ଅନ୍ତ ହୋଇଛି। ଆଜି ଅଂଶୀଦାର, ପୂଜକ, ସାଧୁସନ୍ଥ ଓ ବରିଷ୍ଠ ପ୍ରଶାସକମାନଙ୍କ ସହିତ ଆଲୋଚନା ପରେ ବିଏମ୍ସି ପକ୍ଷରୁ ଚଳିତ ବର୍ଷ ଖଣ୍ଡଗିରି ମେଳା ହେବ ନାହିଁ ଏବଂ କେବଳ ପରମ୍ପରା ପାଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ବିଏମ୍ସି ପକ୍ଷରୁ କୁହାଯାଇଛି ଯେ କୋଭିଡ୍ ସଂକ୍ରମଣକୁ ଆଖି ଆଗରେ ରଖି ଏହି ମେଳା ଉପରେ ପ୍ରଶାସନ ପକ୍ଷରୁ ରୋକ ଲଗାଯାଇଛି ପ୍ରଶାସନ। ତେବେ ଏଥର ମେଳାରେ କୌଣସି ପ୍ରକାର ଯାତ୍ରା କିମ୍ବା ଷ୍ଟଲ ପଡିବ ନାହିଁ ବୋଲି ବିଏମସି ନିଷ୍ପତ୍ତି ନେଇଛି। ଅନ୍ୟପଟେ ପରମ୍ପରାକୁ ବଜାୟ ରଖିବାକୁ ଯାଇ କୋଭିଡ୍ ଗାଇଡଲାଇନ୍ ସହିତ କେବଳ ମେଳା ଅନୁଷ୍ଠିତ ହେବ। ଏଠାରେ ସାମାଜିକ ଦୂରତା ଓ ସମସ୍ତ ପ୍ରକାର କୋଭିଡ୍ ନିୟମ ପାଳନ ହେବ। ପବିତ୍ର ମାଘ ସପ୍ତମୀରେ ଖଣ୍ଡଗିରିରେ ପ୍ରତିବର୍ଷ ମେଳା ଆୟୋଜନ ହୋଇଥାଏ । ଚଳିତ ବର୍ଷ କୋଭିଡ୍ କାରଣରୁ କିନ୍ତୁ ଏହି ମେଳା ଉପରେ ରୋକ୍ ଲାଗିଛି ।
ପୂର୍ବରୁ ଖଣ୍ଡଗିରି ମେଳା ଓ ଯାତ୍ରାକୁ ନେଇ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଖଣ୍ଡଗିରି ଯାତ୍ରାରେ ଦୈନିକ ୫୦ହଜାରରୁ ଅଧିକ ଲୋକ ସମାଗମ ଆକଳନ କରାଯାଉଛି। ପୂର୍ବ ସ୍ଥାନରେ ଜାତୀୟ ରାଜପଥର ଓଭରବ୍ରିଜ୍ କାମ ଚାଲିଛି। ଜାତୀୟ ରାଜପଥ ନିର୍ମାଣ କାମ ଯୋଗୁ ପୂର୍ବ ସ୍ଥାନରେ ଖଣ୍ଡଗିରି ଯାତ୍ରା ପାଇଁ ଅନୁମତି ଦେବା ଅସମ୍ଭବ।