ସୁଭାଷ ବୋଷଙ୍କ ଜୟନ୍ତୀକୁ ‘ପରାକ୍ରମ ଦିବସ’ ଭାବେ ପାଳନ କରାଯିବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏଣିକି ପ୍ରତିବର୍ଷ ଜାନୁଆରି ୨୩ ତାରିଖ ଅର୍ଥାତ, ସୁଭାଷ ବୋଷଙ୍କ ଜନ୍ମଦିବସକୁ ‘ପରାକ୍ରମ ଦିବସ’ ଭାବେ ପାଳନ କରିବ ଦେଶ। ଏ ନେଇ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି।
କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି କି ‘ନେତାଜୀଙ୍କ ନିସ୍ବାର୍ଥପର ଦେଶ ସେବାକୁ ସମ୍ମାନ ଓ ସ୍ମରଣ କରିବା ପାଇଁ ପ୍ରତିବର୍ଷ ତାଙ୍କ ଜନ୍ମଦିବସକୁ ଦେଶ ‘ପରାକ୍ରମ ଦିବସ’ ଭାବେ ପାଳନ କରିବ।’
ଆସନ୍ତା ୨୩ ତାରିଖ ଦିନ ଦେଉଛି ତାଙ୍କର ୧୨୫ତମ ଜନ୍ମ ବାର୍ଷିକୀ। ନେତାଜୀଙ୍କ ଜନ୍ମଦିନକୁ ପାଳନ କରି ଆମ ଦେଶ ପାଇଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅତୁଳନୀୟ ଅବଦାନକୁ ଭାରତର ଲୋକମାନଙ୍କ ମନରେ ପୁଣି ଥରେ ତାଜା କରିବାକୁ ଚାହିଁଛନ୍ତି କେନ୍ଦ୍ର ସରକାର।
ତାଙ୍କ ଜନ୍ମଦିବସକୁ ‘ପରାକ୍ରମ ଦିବସ’ ଭା‌ବେ ପାଳନ କଲେ ଦେଶର ଯୁବଗୋଷ୍ଠୀ ଅନୁପ୍ରାଣିତ ହେବେ। ନେତାଜୀଙ୍କ ପରି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଦୃଢ଼ତାର ସହ ଦେଶ ପାଇଁ କାମ କରିବାକୁ ଯୁବମାନେ ଉତ୍ସାହିତ ହେବେ ବୋଲି ସରକାରୀ ବିବୃତିରେ କୁହାଯାଇଛି।
ନିକଟ ଅତୀତରେ ଭାରତ ସରକାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମୂଲ୍ୟବାନ ଐତିହ୍ୟର ସଂରକ୍ଷଣ ଦିଗରେ ଅନେକ ପଦକ୍ଷେପ ନେଇଛନ୍ତି। ନୂଆଦିଲ୍ଲୀର ରେଡଫୋର୍ଟରେ ନେତାଜୀଙ୍କ ଉପରେ ଏକ ସଂଗ୍ରହାଳୟ ସ୍ଥାପନ କରାଯାଇଛି, ଯାହାକୁ କି ୨୩.୦୧.୨୦୧୯ରେ ପ୍ରଧାନମନ୍ତ୍ରୀ ମୋଦି ଉଦ୍‌ଘାଟନ କରିଥିଲେ।

Leave a comment

You cannot copy content of this page