କଂଗ୍ରେସ ରେ ଦେଖିବାକୁ ମିଳିବ ନୂଆ ଚେହେରା, ଅପରାଧିକ ମାମଲା ଥିଲେ ଟିକେଟ ନାହିଁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୧୯ ନିର୍ବାଚନ କୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଦଳ ଚଳଚଞ୍ଚଳ ହୋଇ ଉଠିଲାଣି । କେଉଁ ଦଳ କାହାକୁ ପ୍ରାର୍ଥୀ କରିବେ ସେଥିପାଇଁ ଆରମ୍ଭ ହେଲାଣି ମାନସମନ୍ଥନ । ଦଳର ଆଶାୟୀ ପ୍ରାର୍ଥୀ କିପରି ଅସନ୍ତୁଷ୍ଟ ନହେବେ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଉଛି ।
ଆଗାମୀ ନିର୍ବାଚନ କୁ ଦୃଷ୍ଟିରେ ରଖି ନିକଟରେ ରାଜ୍ୟ କଂଗ୍ରେସ ରାହୁଲ ଗାନ୍ଧୀଙ୍କ ସହମତି କ୍ରମେ ଏକ ଟିମ ଗଠନ କରିଥିଲେ । ଏହି ନବଗଠିତ ପିସିସି କମିଟିରେ ୧୪ଜଣ ଉପସଭାପତି, ୨୪ଜଣ ସାଧାରଣ ସମ୍ପାଦକ, ୯୯ଜଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷଙ୍କ ସମେତ ଦଳର ବରିଷ୍ଠ ନେତାମାନଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଭ୍ୟ ଓ କାର୍ଯ୍ୟନିର୍ବାହୀ କମିଟିରେ ସ୍ଥାନ ମିଳିଛି । ଏହି ଟିମ ଗଠନର ମୂଳ ଲକ୍ଷ୍ୟ ହେଲା ରାଜ୍ୟରେ କଂଗ୍ରେସର ଉଜୁଡିଥିବା ସ୍ଥିତି ସୁଧାରିବା ।
ଏହା ବ୍ୟତୀତ ରାଜ୍ୟ କଂଗ୍ରେସ ବର୍ତ୍ତମାନ ଦଳକୁ ମଜବୁତ କରିବାକୁ ନୂତନ ପନ୍ଥା ଆପଣେଇ ଥିବାର ଦେଖିବାକୁ ମିଳୁଛି । ଯିଏ ଦଳ ପାଇଁ ନିଷ୍ଠା ର ସହ କାମ କରିବ ତାକୁ ପୁରସ୍କାର ମିଳିବା ସହ ଅଯୋଗ୍ୟ ପ୍ରାର୍ଥୀ ବା ଯେଉଁ ପ୍ରାର୍ଥୀ ଦଳରେ ରହି ଦଳ ର ଉର୍ଣ୍ଣତ୍ତି ପାଇଁ କିଛି ଯୋଗଦାନ ନକରିବେ ତାଙ୍କୁ ଦଳରୁ ବିତାଡ଼ିତ କରାଯିବ ବୋଲି ସୂଚନା ମିଳିଛି । ସେହିପରି ଆସନ୍ତା ୧୫ ଦିନ ମଧ୍ୟରେ ପାଖାପାଖି ୫୦ ଜଣ ବିଧାୟକ ପ୍ରାର୍ଥୀ ଙ୍କ ନାମ ଘୋଷଣା କରିବ କଂଗ୍ରେସ । ଏହାସହ ଖୁବଶୀଘ୍ର ରାଜସ୍ଥାନ ପରି ‘ମୋ ବୁଥ ମୋ ଗୌରବ’ କାର୍ଯ୍ୟକ୍ରମ ଓଡ଼ିଶାରେ ଆରମ୍ଭ ହେବ ।
ରାଜ୍ୟର ନବଗଠିତ ପିସିସିର ଭୁବନେଶ୍ୱରରେ ପ୍ରଥମ ବୈଠକ ଥିଲା । ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ, କେନ୍ଦ୍ରୀୟ କମିଟି, ନୂଆ କର୍ମକର୍ତ୍ତା ଓ ରାଜ୍ୟର ତୁଙ୍ଗ ନେତାମାନେ ଉପସ୍ଥିତ ଥିଲେ ।ରାଜ୍ୟରେ କଂଗ୍ରେସର ସ୍ଥିତିକୁ ଦେଖି ପିସିସି କମିଟି ସଦସ୍ୟଙ୍କୁ ବିଭିନ୍ନ ଟାସ୍କ ଦିଆଯାଇଛି। ସେମାନଙ୍କର କାର୍ଯ୍ୟ ଦେଖିବା ପରେ ସେମାନେ ଦଳରେ ସ୍ଥାନ ପାଇବେ ନା ନାହିଁ ସ୍ଥିର କରାଯିବ । ବୈଠକ ଶେଷରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଏଥର ନିର୍ବାଚନରେ ନୂଆ ମୁହଁଙ୍କୁ ଗୁରୁତ୍ୱ ଦିଆଯିବା ସହ ୧୫ ଜଣ ଯାକ ବିଧାୟକଙ୍କୁ ପୁନର୍ବାର ଟିକେଟ ଦିଆଯିବ ବୋଲି ମଧ୍ୟ ପିସିସି ସଭାପତି ସ୍ପଷ୍ଟ କରିଛନ୍ତି ।
୨୦୧୪ ନିର୍ବାଚନ ରେ ପ୍ରାର୍ଥୀ ଚୟନ ରେ ବିଳମ୍ବ ହୋଇଥିବାରୁ ରାଜ୍ୟ କଂଗ୍ରେସ ର ବିପର୍ଯ୍ୟୟ ଘଟିଥିଲା । ସେହିଭୁଲ ଏଥର ଦଳ ପୁନରାବୃତ୍ତି କରିବାକୁ ଚାହୁଁ ନାହିଁ । ତେଣୁ ଏଥର କଂଗ୍ରେସ ଆଗୁଆ ପ୍ରାର୍ଥୀ ଚୟନ ସହ ରାଜସ୍ଥାନରେ ସଫଳ ହୋଇଥିବା ‘ମୋ ବୁଥ୍ ମୋ ଗୌରବ’ ଢାଞ୍ଚାକୁ ଓଡ଼ିଶାରେ ପ୍ରୟୋଗ କରାଯିବ । ଏବେଠାରୁ ବୁଥ୍ ଲେଭଲ୍ ଏଜେଣ୍ଟ ଓ ବୁଥ୍ ଲେଭଲ୍ ଅଧ୍ୟକ୍ଷ ନିଯୁକ୍ତ କରାଯିବ। ପ୍ରତ୍ୟେକ ବୁଥ୍ରେ କେତେ କଂଗ୍ରେସ ଭୋଟର ଅଛନ୍ତି ଓ କେଉଁମାନେ ଅନ୍ୟ ଦଳକୁ ସମର୍ଥନ କରୁଛନ୍ତି ଓ କେତେ ନିରପେକ୍ଷ ଭୋଟର ଅଛନ୍ତି, ସେମାନେ ତା’ର ଅନୁଧ୍ୟାନ କରିବେ । ଏହାପରେ ଯୋଜନା ଅନୁଯାୟୀ ଭୋଟରଙ୍କୁ କଂଗ୍ରେସ ସପକ୍ଷରେ ଆଣିବାକୁ ଉଦ୍ୟମ କରାଯିବ।