କେଜ୍‌ରିଓ୍ବାଲଙ୍କ ନାଁରେ ଚାର୍ଜସିଟ ଦାଖଲ କଲା ଦିଲ୍ଲୀ ପୋଲିସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ଗତ ଫେବୃଆରୀରେ ଆକ୍ରମଣ ମାମଲାରେ ଶାସକ ଦଳ ବା ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌)କୁ ଶକ୍ତ ଧକ୍କା ଲାଗିଛି । ଘଟଣାର ତଦନ୍ତ କରି ଚାର୍ଜସିଟ ଦାଖଲ କରିଛି ଦିଲ୍ଲୀ ପୋଲିସ । ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜ୍‌ରିଓ୍ବାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ୍‌ ସିସୋଡିଆଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ଏହି ଦୁଇ ନେତାଙ୍କ ସମେତ ଆପ୍‌ର ଆଉ ୧୩ ବିଧାୟକ ଏବେ ବିଚାରର ସମ୍ମୁଖୀନ ହେବ ।

ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ ସମର ବିଶାଲଙ୍କ ନିକଟରେ ୧୩,୦୦ ପୃଷ୍ଠା ସମ୍ବଳିତ ଚାର୍ଜସିଟ ଦାଖଲ ହୋଇଛି । ଏଥିରେ କେଜ୍‌ରିଓ୍ବାଲ, ସିସୋଡିଆଙ୍କ ବ୍ୟତୀତ ଅମାନତୁଲ୍ଲା ଖାନ୍‌, ପ୍ରକାଶ ଜରଓ୍ବାଲ, ନୀତିନ ତ୍ୟାଗୀ, ରିତୁରାଜ ଗୋବିନ୍ଦ, ସଞ୍ଜୀବ ଝା, ଅଜୟ ଦତ୍ତ, ରାଜେଶ ରିଶି, ରାଜେଶ ଗୁପ୍ତା, ମଦନ ଲାଲ, ପ୍ରବୀଣ କୁମାର ଏବଂ ଦିନେଶ ମୋହାନିଆଙ୍କ ନାମ ରହିଛି । କେଜ୍‌ରିଓ୍ବାଲ ଓ ଅନ୍ୟ ଅଭିଯୁକ୍ତମାନେ ମୁଖ୍ୟ ଶାସନ ସଚିବଙ୍କୁ ହତ୍ୟା ଧମକ ଦେବାକୁ ଷଡ଼ଯନ୍ତ୍ର ରଚିଥିଲେ । ତାଙ୍କ କାର୍ଯ୍ୟରେ ବାଧା ଦେବା ସହ ବୈଠକବେଳେ ଆକ୍ରମଣ କରି ତାଙ୍କୁ ଆହତ କରିଥିଲେ ବୋଲି ଦିଲ୍ଲୀ ପୋଲିସ ଅଭିଯୋଗ କରିଛି । ବିଭିନ୍ନ ଦଫା ଅନୁଯାୟୀ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଅଗଷ୍ଟ ୨୫ରେ ଏହି ମାମଲାର ବିଚାର ଆରମ୍ଭ ହେବ। ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହେଲେ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡ ପାଇବେ ।

ପ୍ରକାଶ ଯେ, ଗତ ଫେବୃୟାରୀ ୧୯ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କ ସରକାରୀ ବାସଭବନରେ ବୈଠକ ଚାଲିଥିଲାବେଳେ ମୁଖ୍ୟ ସଚିବଙ୍କୁ ଆକ୍ରମଣ ହୋଇଥିଲା । ଏହି ଘଟଣାରେ ସମ୍ପୃକ୍ତି ନେଇ ବିଧାୟକ ଅମାନୁତୁଲ୍ଲା ଓ ପ୍ରକାଶ ଜରଓ୍ବାଲ ଗିରଫ ହୋଇଥିଲେ । ଘଟଣାବେଳେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ ବୋଲି ପୋଲିସ କହିଛି ।

ସୌଜନ୍ୟ-ଗୁଗୁଲ

Leave a comment