ପୁରୀ ଓ ଯାଜପୁରରେ ମେଡିକାଲ କଲେଜ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସରକାର ପୁରୀ ଓ ଯାଜପୁରରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା କରିବେ। ଏଥିପାଇଁ ୬୫୧ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି। ଏ ସଂପର୍କିତ ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ ମୋହର ଲଗାଇଛି। ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି, ପୁରୀ ଓ ଯାଜପୁରରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ହେବ। ଏହି ଦୁଇ ମେଡିକାଲ କଲେଜରୁ ଯେଉଁ ଡାକ୍ତର ବାହାରିବେ ସେମାନଙ୍କ ଯୋଗୁଁ ରାଜ୍ୟର ଡାକ୍ତର ଅଭାବ ସମସ୍ୟା ନିଶ୍ଚିତ ଭାବେ ସମାଧାନ ହେବ। ଯାଜପୁରରେ ୧୦୦ ସ୍ଥାନ ବିଶିଷ୍ଟ ଭେସଜ ମହାବିଦ୍ୟାଳୟ ଓ ୫୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ସ୍ଥାପନ ନିମନ୍ତେ ନୀତିଗତ ନିଷ୍ପତ୍ତି ହୋଇଛି। ଡାକ୍ତରଖାନା ନିର୍ମାଣ ନିମନ୍ତେ ୪୨୬ କୋଟି ୫୧ ଲକ୍ଷ ୩୧ ହଜାର ଟଙ୍କାର ବ୍ୟୟ ଅଟକଳ ହୋଇଛି। ଟର୍ଣ୍ଣ-କି ମାଧ୍ୟମରେ ସର୍ବନିମ୍ନ ଟେଣ୍ଡରଧାରୀ ଏଲ ଆଣ୍ଡ ଟିକୁ ନିର୍ମାଣ ପାଇଁ ଅନୁମତି ମିଳିଛି। ଏହି କାର୍ଯ୍ୟ ଆସନ୍ତା ୩୬ ମାସ ଭିତରେ ଶେଷ କରିବାକୁ ଧାର୍ଯ୍ୟ ଲକ୍ଷ୍ୟ ସ୍ଥିର ହୋଇଛି।
ସେହିପରି ଶ୍ରୀକ୍ଷେତ୍ର ପୁରୀରେ ୬୫୦ ଶଯ୍ୟା ବିଶିଷ୍ଟ ଅଧ୍ୟାପନା ଡାକ୍ତରଖାନା ସ୍ଥାପନ ନିମନ୍ତେ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି। ଏହି ନିର୍ମାଣ କାର୍ଯ୍ୟ ନିମନ୍ତେ ୨୨୪.୫୫ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି। ଟେଣ୍ଡର ଏଲଆଣ୍ଡଟିକୁ ମିଳିଛି। ଟର୍ଣ୍ଣ-କିରେ ସମ୍ପନ୍ନ କରିବ। ତାହା ବି ୩୬ ମାସ ଭିତରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରହିଛି। ତେବେ ଏହି ଦୁଇ ମେଡିକାଲ କଲେଜ ନିର୍ଦ୍ଧରିତ ସମୟ ଭିତରେ ଶେଷ ହେବ। ଏଥିଯୋଗୁଁ ଯାଜପୁର ଓ ପୁରୀ ଜିଲ୍ଲାର ରୋଗୀଙ୍କ ବ୍ୟତିତ ବାହାର ଜିଲ୍ଲାରୁ ବି ରୋଗୀ ଚିକିତ୍ସା ସୁବିଧା ପାଇପାରିବେ ବୋଲି ମୁ୍ଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ପ୍ରକାଶ କରିଥିଲେ।

Leave a comment