ଟାୱାରରୁ ବ୍ୟାଟେରୀ ଚୋରି, ୩ ଇଞ୍ଜିନିୟରିଂ ଛାତ୍ର ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୋବାଇଲ ଟାୱାରରୁ ବ୍ୟାଟେରୀ ଚୋରି ଘଟଣାରେ ୩ ଇଞ୍ଜିନିୟରିଂ ଛାତ୍ରଙ୍କ ସମେତ ୪ଜଣଙ୍କୁ ଖନ୍ତାପଡ଼ା ଥାନା ପୋଲିସ ଗିରଫ କରିଛି । ବିଭିନ୍ନ ସ୍ଥାନରେ ଥିବା ମୋବାଇଲ୍‌ ଟାୱାରରୁ ବ୍ୟାଟେରି ଓ ସରଞ୍ଜାମ ଚୋରି ଘଟଣାର ଖୋଳତାଡ କରିବା ପରେ ଏଥିରେ ଇଞ୍ଜିନିୟରିଂ ଛାତ୍ରଙ୍କ ସମ୍ପୃକ୍ତି ଥିବା ଜଣାପଡିଥିଲା । ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏନେଇ ଥାନାରେ ୩୦୨/୧୮ ନଂ. ରେ ଏକ ମାମଲା ରୁଜୁ ହୋଇଛି । 

ପୋଲିସ କହିବା ଅନୁସାରେ, ଖନ୍ତାପଡ଼ା ଥାନା ଅଧୀନ ବିଭିନ୍ନ ମୋବାଇଲ ଟାୱାରରୁ କ୍ରମାଗତ ଭାବେ ବ୍ୟାଟେରି ଚୋରି ହେଉଥିବା ଅଭିଯୋଗ ହୋଇଆସୁଥିଲା । ଏହାପଛରେ ଏକ ସୁଚିନ୍ତିତ ର଼୍ୟାକେଟ କାମ କରୁଥିବା ସନ୍ଦେହ କରି ତଦନ୍ତ କରାଯାଉଥିଲେ ମଧ୍ୟ କୌଣସି ଅଭିଯୁକ୍ତଙ୍କ ଟେର ମିଳି ନ ଥିଲା । ରବିବାର ଭୋର୍‌ ସମୟରେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଦୁଇଟି ବାଇକ୍‌ରେ ୪ଜଣ ଯୁବକ ୨୪ଟି ବ୍ୟାଟେରି, ଗୋଟିଏ ଶାବଳ ଓ ଏକ ଖେଳନା ବନ୍ଧୁକ ନେଇ ବାଲେଶ୍ୱର ଅଭିମୁଖେ ଯାଉଥିଲେ । ସନ୍ଦେହରେ ପୋଲିସ ସେମାନଙ୍କୁ ଅଟକାଇ ପଚରାଉଚୁରା କରିବା ପରେ ଥାନାରେ ଅଟକ ରଖିଥିଲା । ଧରାପଡିଥିବା ଏହି ଅଭିଯୁକ୍ତମାନଙ୍କ ଘର ବାଲେଶ୍ୱରରେ ବୋଲି ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ ୩ଜଣ ଡିପ୍ଲୋମା ଇଞ୍ଜିନିୟରିଂ ଛାତ୍ର ଥିବା ପୋଲିସ ସୂଚନା ଦେଇଛି ।

Leave a comment