ଆମେରିକା ରାଷ୍ଟ୍ରପତି ନିର୍ବାଚନ : ଜୋ ବାଇଡେନଙ୍କୁ ମିଳିପାରେ ବହୁମତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆମେରିକାରେ ଏ ପର୍ଯ୍ୟନ୍ତ ହାର-ଜିତ୍‌ର ଫଇସଲା ହୋଇ ପାରିନାହିଁ। ଡେମୋକ୍ରାଟିକ୍‌ ପ୍ରାର୍ଥୀ ଜୋ ବାଇଡେନଙ୍କୁ ବହୁମତ ୨୭୦ରୁ ଅଧିକ ୧୯ଟି ଅର୍ଥାତ୍‌ ୨୮୯ଟି ଆସନ ମିଳିପାରେ। ସେହିପରି ରିପବ୍ଲିକାନ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ୨୪୯ ଇଲେକ୍ଟର୍ସଙ୍କ ସମର୍ଥନ ମିଳିପାରେ। ରାଷ୍ଟ୍ରପତି ପଦ ଭାବେ ନିର୍ବାଚିତ ହେବାପାଇଁ ମୋଟ ୫୩୮ରୁ ୨୭୦ ଇଲେକ୍ଟର୍ସଙ୍କ ସମର୍ଥନ ଆବଶ୍ୟକ। ଜର୍ଜିଆ, ପେନସିଲଭାନିଆ, ନେଭାଡା ଓ ଆରିଜୋନାର ଇଲେକ୍ଟର୍ସଙ୍କ ଉପରେ ବିଶ୍ବବାସୀଙ୍କ ନଜର । ଜର୍ଜିଆରେ ଉଭୟ ପ୍ରାର୍ଥୀଙ୍କ ମଧ୍ୟରେ ଭୋଟ ବ୍ୟବଧାନ କମ ଥିବାରୁ ଏଠାରେ ପୁନଃ ଗଣତି କରାଯିବ ବୋଲି ସେକ୍ରେଟାରୀ ଅଫ ଷ୍ଟେଟ ବ୍ରାଣ୍ଡ ରଫନସ୍ପର୍ଗର କହିଛନ୍ତି।

୫୦ରୁ ୫ଟି ରାଜ୍ୟରେ ନିର୍ବାଚନ ଫଳାଫଳ ଅଟକି ରହିଛି। ପେନସିଲଭାନିଆ (୨୦ ଇଲେକ୍ଟର୍ସ) ଓ ନର୍ଥ କାରୋଲିନା (୧୫ ଇଲେକ୍ଟର୍ସ), ଏହିପରି ୩୫ଟି ଆସନରେ ଟ୍ରମ୍ପ ଆଗୁଆ ଅଛନ୍ତି। ପୂର୍ବରୁ ସେ ୨୧୪ଟି ଆସନରେ ବିଜୟ ଲାଭ କରି ସାରିଛନ୍ତି। ତେଣୁ ତାଙ୍କୁ ସମୁଦାୟ ୨୪୯ ଇଲେକ୍ଟର୍ସ ମିଳିପାରେ । ସେହିପରି ବାଇଡେନ ପୂର୍ବରୁ ୨୫୩ଟି ଆସନରେ ବିଜୟ ଲାଭ କରି ସାରିଛନ୍ତି। ଏବେ ଜର୍ଜିଆ (୧୬ ଇଲେକ୍ଟର୍ସ), ଆରିଜୋନା (୧୧ ଇଲେକ୍ଟର୍ସ), ନେଭେଡା (୬ଇଲେକ୍ଟର୍ସ) ଓ ୱାଶିଂଟନ ଡିସି (୩ ଇଲେକ୍ଟର୍ସ) ଆଦି ୩୬ଟି ଆସନରେ ସେ ଆଗୁୁଆ ଅଛନ୍ତି। ତେଣୁ ତାଙ୍କୁ ସମୁଦାୟ ୨୮୯ ଇଲେକ୍ଟର୍ସ ମିଳିପାରେ। ଏହି ସଂଖ୍ୟା ବହୁମତ ୨୭୦ରୁ ରୁ ୧୯ ଅଧିକ। ତେଣୁ ସେ ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ଆସନ୍ତା ବର୍ଷ ଜାନୁୁଆରୀ ୨୦ ତାରିଖରେ ଶପଥ ଗ୍ରହଣ କରିପାରନ୍ତି।
ନିର୍ବାଚନ ଫଳାଫଳକୁ ଦେଖି ଟ୍ରମ୍ପ ଅସ୍ତବ୍ୟସ୍ତ ହୋଇ ପଡ଼ିଛନ୍ତି। ସାମାଜିକ ଗଣମାଧ୍ୟମ ଓ ଦେଶର କିଛି ବୈଦ୍ୟୁତିକ ଗଣମାଧ୍ୟମ ତାଙ୍କ ବିରୋଧରେ ଅପପ୍ରଚାର ଚଳାଇଥିବା ଟ୍ରମ୍ପ ଅଭିଯୋଗ କରିଛନ୍ତି। ତାଙ୍କ ବିଜୟକୁ ବାଇଡେନ ଛଡ଼ାଇ ନେଇଥିବା ସେ କହିଛନ୍ତି। ହ୍ବାଇଟ୍‌ ହାଉସ୍‌ (ରାଷ୍ଟ୍ରପତି ଭବନ)ରେ ସେ ସାମ୍ବାଦିକମାନଙ୍କୁ ସମ୍ବୋଧନ କରୁୁଥିବାବେଳେ କେତେକ ସାମ୍ବାଦିକ ତାଙ୍କର ଏପରି ମନ୍ତବ୍ୟକୁ ବିରୋଧ କରି ସ୍ଥାନ ଛାଡ଼ି ପଳାଇ ଆସିଥିଲେ। ଟ୍ରମ୍ପଙ୍କ କୌଣସି ଭାଷଣକୁ ପ୍ରସାରଣ କରିବେ ନାହିଁ ବୋଲି ଆମେରିକାର ୩ ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଏବିସି, ଏନବିସି ଓ ସିବିଏସ କହିଛନ୍ତି।

Leave a comment