ଚୋର ଧରିବାକୁ ଯାଇଥିବା ପୋଲିସକୁ ଉତ୍ତମ ମଧ୍ୟମ ଦେଲେ ଅଭିଯୁକ୍ତ ଙ୍କ ଘର ଲୋକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚୋର ଧରିବାକୁ ଯାଇଥିବା ବେଳେ ପୋଲିସକୁ ହଟହଟା ହେବାକୁ ପଡିଛି । ଚୋରି ଘଟଣା ସମ୍ପର୍କରେ ଜଣଙ୍କୁ ପଚରାଉଚୁରା ବେଳେ ପୋଲିସକୁ ନିସ୍ତୁକ ପିଟିଛନ୍ତି ତାଙ୍କ ସମ୍ପର୍କୀୟ । କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳରେ ଏକ ଘଟଣା ନଜରକୁ ଆସିଛି । ଭୁଇଁପୁର ଅଞ୍ଚଳରେ ଗତ କିଛିଦିନ ତଳେ ହୋଇଥିବା ଚୋରି ଘଟଣାରେ ଆଳି ପୋଲିସ ସନ୍ଦେହରେ ଅଭିଯୁକ୍ତମାନଙ୍କୁ ପଚରାଉଚୁରା କରିବାକୁ ସେମାନଙ୍କ ଘରକୁ ଯାଇଥିଲା । ଏହି ସମୟରେ ପୋଲିସ ଆକ୍ରମଣର ଶିକାର ହୋଇଛି।

ଘଟଣା ମୁତାବକ, ଗତ ମଙ୍ଗଳବାର ରାତିରେ ଆଳି ଥାନା ଅନ୍ତର୍ଗତ କଳମଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରୁ ଚୋରି ହୋଇଥିଲା । ଥାନାର ଏଏସଆଇ ପ୍ରମୋଦ ସେଠୀ ଏହି ଘଟଣାର ତଦନ୍ତ ନିମନ୍ତେ ଗ୍ରାମର ପଞ୍ଚାନନ ଜେନା ଓ ତାଙ୍କ ପୁଅମାନଙ୍କୁ ପଚରାଉଚୁରା କରିବାକୁ ଘରକୁ ଯାଇଥିଲେ । ଏହି ସମୟରେ ପଞ୍ଚାନନଙ୍କ ସମେତ ପୁଅ ଜୟନ୍ତ ଜେନା, ଇଶାନ ଜେନା ଓ ପ୍ରଶନ୍ନ ଜେନା ପୋଲିସ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ । ଖବରପାଇ ଆଳି ଆଇଆଇସି ମହେଶ୍ୱର ସେଠୀ ପୋଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ୪ ଜଣଙ୍କୁ ଗିରଫ କରି ଥାନାକୁ ଆଣିଛନ୍ତି । ଏ ନେଇ ପୋଲିସ ୧୦୩/୧୮ ନଂ. ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave a comment