ପାଣିରେ ବୁଡିଲା, ଭାସିଲା ଏବେ ଆନ୍ଦୋଳନ ନିଦ ହଜାଇଲା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପାଣିରେ ବୁଡି କାର, ବସ ଭାସିଲା ପରେ ଚେତା ପଶିଲା ବିଏମସି, ଏନଏଚଆଇ ଓ ବିଡିଏ ର । ଆରମ୍ଭ ହେଲା ଜବରଦଖଲ ଉଛେଦ । କିନ୍ତୁ ନୟାପଲ୍ଲୀ ରେ ପଶୁଥିବା ପାଣି ର ପ୍ରତିବାଦରେ ଆଜିକୁ ୪ ଦିନ ହେଲା ବସିଛି ଆମରଣ ଅନଶନ ରେ ଯୁବ ଓଡ଼ିଶା । କିପରି ଏ ସମସ୍ୟା ର ନିଷ୍କର୍ଷ ବାହାରିବ ସେ ନେଇ ବିଏମସି ଓ ବିଡିଏ ଚିନ୍ତାରେ ।

ଅସରାଏ ବର୍ଷା ହେଲେ ନୟାପଲ୍ଲୀ ଗ୍ରାମ ଜଳମଗ୍ନ ହେବାରୁ ଜନସାଧାରଣ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗ୍ରାମବାସୀ ଙ୍କୁ ବନ୍ୟା ଭଳି ପରିସ୍ଥିତିର ମୁକାବିଲା କରିବାକୁ ପଡୁଛି । ବାରମ୍ବାର ଅଭିଯୋଗ କରିବା ସତ୍ୱେ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି । ପୂର୍ବରୁ ବର୍ଷା ଜଳ ନିଷ୍କାସନ ହୋଇ ୭ ଏକର ଜଳାଶୟରେ ପଡୁଥିଲା । ସେଥିରୁ ୪ ଏକର ଜମିକୁ କିଛି ଖଳ ପ୍ରକୃତିର ବ୍ୟକ୍ତି ପୋତିବା ସହ ବିକ୍ରି କରିବାକୁ ଯୋଜନା କରୁଥିବା ଯୁବ ଓଡ଼ିଶା ର ଭୁବନେଶ୍ୱର ସଭାପତି ଅର୍ଜୁନ ବେହେରା ଅଭିଯୋଗ ଆଣିଛନ୍ତି । ଯୁବ ଓଡ଼ିଶା ର ତିନୋଟି ମୁଖ୍ୟ ଦାବି ହେଲା ୧- ନୟାପଲ୍ଲୀ ଜଳାଶୟ ର ପୁନରୁଦ୍ଧାର(ନୟାପଲ୍ଲୀ ହ୍ରଦ) , ୨- ଆଇଆରସି ଭିଲେଜ ୱାର୍ଡ ର ପାଣି ନୟାପଲ୍ଲୀ ଅଞ୍ଚଳ କୁ ନଛଡ଼ାଯାଉ ଓ ୩- ନୟାପଲ୍ଲୀ ପୋଖରୀ ରେ ଖର୍ଚ୍ଚ ହୋଇଥିବା ୧ କୋଟି ଟଙ୍କା ର ଭିଜିଲାନ୍ସ ତଦନ୍ତ । ଉପରୋକ୍ତ ଦାବି ପୂରଣ ନହେଲେ ବିଭିନ୍ନ ଜିଲ୍ଲା ରୁ ଯୁବ ଓଡ଼ିଶା ର ୧୦,୦୦୦ ରୁ ଉର୍ଦ୍ଧ ସକ୍ରିୟ କର୍ମୀ ଆନ୍ଦୋଳନ ରେ ଯୋଗଦେବେ ବୋଲି ସଂଗଠନ ର ରାଜ୍ୟ ସଭାପତି ଉପେନ୍ଦ୍ର ଭଞ୍ଜ ମତବ୍ୟକ୍ତ କରିଛନ୍ତି ।

ଅପରପକ୍ଷରେ, ଗତ କାଲି ବିଡିଏ ର ଡେପୁଟି କମିଶନର ଭବାନୀ ଶଙ୍କର ଚଇନି ଓ ଏସିପି କିଶୋର ମୁଣ୍ଡ ଅନଶନ ସ୍ଥଳକୁ ଯାଇ ଅନଶନ ରୁ ଓହରିଯିବାକୁ କହିବାସହ ଏହାର ପ୍ରତିକାର କରାଯିବ ବୋଲି କହିଥିଲେ । କିନ୍ତୁ ଆନ୍ଦୋଳନକାରୀ ଏହାର ଲିଖିତ ପ୍ରତିଶ୍ରୁତି ମାଗିବାରୁ ସେମାନେ ସେଠାରୁ ଫେରିଯାଇଥିଲେ ।

Leave a comment