ପାର୍ବଣ ଓ ଶୀତଋତୁ ପାଇଁ ଅଧିକ ସତର୍କ ରୁହ: ମୁଖ୍ୟମନ୍ତ୍ରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):କୋଭିଡ୍ ପରିଚାଳନାରେ ଓଡ଼ିଶା କ୍ରମାଗତଭାବେ ଭଲ ପ୍ରଦର୍ଶନ କରିଆସୁଛି। ସମସ୍ତ ସୂଚକାଙ୍କ ଜାତୀୟ ହାର ଠାରୁ ଭଲ ରହିଛି। ଅଧିକାଂଶ ଜିଲ୍ଲାରେ ନୂଆ ସଂକ୍ରମଣ କମୁଛି। କଟକ, ଖୋର୍ଦ୍ଧା ଓ ପୁରୀ ପରି ଅଧିକ ସଂକ୍ରମଣ ଥିବା ଜିଲ୍ଲାଗୁଡିକରେ ମଧ୍ୟ ପରିସ୍ଥିତିର ଉନ୍ନତି ଆସିଛି। ଆଗକୁ ପୂଜା ଓ ଶୀତ ଋତୁ ଆସୁଥିବାରୁ ପ୍ରଶାସନକୁ ସଂପୂର୍ଣ୍ଣ ଭାବେ ସତର୍କ ରହି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଏବଂ କୋଭିଡ ନିୟମାବଳୀକୁ ଦୃଢ଼ ଭାବରେ କାର୍ଯ୍ୟକାରୀ କରିବାକୁ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ କୋଭିଡ ପରିଚାଳନାର ସମୀକ୍ଷା କରି ବରିଷ୍ଠ ଅଧିକାରୀମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେରଳ କୋଭିଡ୍ ପରିଚାଳନାରେ ଅତି ଭଲ ପ୍ରଦର୍ଶନ କରିଆସୁଥିଲା । କିନ୍ତୁ ଓନାମ ଉତ୍ସବ ପରେ ସବୁକିଛି ବଦଳି ଯାଇଛି । ସଂକ୍ରମଣ ବହୁ ପରିମାଣରେ ବଢ଼ିଯାଇଛି । ୟୁରୋପ୍ର ଦେଶ ଗୁଡ଼ିକରେ ମଧ୍ୟ ସଂକ୍ରମଣର ଦ୍ୱିତୀୟ ଲହର ଦେଖାଦେଇଛି । ତେଣୁ ସାମାନ୍ୟ ଢିଲା ପଣ ଆସିଲେ, ପରିସ୍ଥିତି ଗମ୍ଭୀର ହେବାର ଆଶଙ୍କା ରହିଛି । ସେଥିପାଇଁ ପ୍ରଶାସନ ଏ କ୍ଷେତ୍ରରେ ସଂପୂର୍ଣ୍ଣ ସତର୍କ ରହି ଲୋକଙ୍କୁ ସଚେତନ କରିବା ଏବଂ ସବୁ ନିୟମର ଦୃଢ଼ ଅନୁପାଳନ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ରାଜ୍ୟରେ ଅର୍ଥନୈତିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଓଡ଼ିଶା ବର୍ତ୍ତମାନ ପୁଞ୍ଜି ବିନିଯୋଗର ଏକ ଆକର୍ଷଣୀୟ କ୍ଷେତ୍ର ହୋଇପାରିଛି । ତେଣୁ ବୃହତ ଶିଳ୍ପ ହେଉ, କିମ୍ବା ମଧ୍ୟମ ବା ଏମ୍ଏସ୍ଏମ୍ଇ ହେଉ ସମସ୍ତ ଶିଳ୍ପ ପ୍ରକଳ୍ପ ଗୁଡ଼ିକୁ ସବୁସ୍ତରରେ ସହଯୋଗ ଯୋଗାଇ ଦେଇ ଠିକ୍ ସମୟରେ ପ୍ରକଳ୍ପ ଯେପରି କାର୍ଯ୍ୟକାରୀ ହେବ ଏବଂ ପୁଞ୍ଜି ବିନିଯୋଗର ଲାଭ ଯେପରି ଲୋକମାନେ ପାଇପାରିବେ, ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ନରେଗା, ମିଶନ ଶକ୍ତି ଓ ଜୀବିକା ମିଶନ ଆଦି ଜୀବିକା କାର୍ଯ୍ୟକ୍ରମ ଗୁଡ଼ିକୁ ମଧ୍ୟ ଉପଯୁକ୍ତ ପ୍ରାଧାନ୍ୟ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ସେହିପରି ଶିଳ୍ପ, ଖଣି, ନିର୍ମାଣ, ସେବା, ପରିବହନ ଆଦି ସବୁ କ୍ଷେତ୍ରରେ ଅର୍ଥନୈତିକ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦେବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ କ୍ଷେତ୍ରରେ କୌଣସି ବାଧାକୁ ବରଦାସ୍ତ କରାଯିବ ନାହିଁ । ଯେକୌଣସି ଅର୍ଥନୈତିକ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରାଗଲେ ଦୃଢ଼ ପଦକ୍ଷେପ ନିଆଯିବ ।