ଅନେକ ତର୍ଜମା ପରେ ଘୋଷଣା ହେଲା ବହୁପ୍ରତିକ୍ଷିତ ବାଲେଶ୍ଵର ଉପନିର୍ବାଚନ ବିଜେଡି ପ୍ରାର୍ଥୀ, ତିର୍ତ୍ତୋଲରୁ ବିଜୟ ଶଙ୍କର ହେଲେ ପ୍ରାର୍ଥୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଲେଶ୍ଵର ଏବଂ ତିର୍ତ୍ତୋଲ ଉପନିର୍ବାଚନ ତାରିଖ ଘୋଷଣା ହେବାପରେ ସବୁଠାରୁ ଅଧିକ ଦ୍ଵନ୍ଦରେ ରହିଥିଲା ବିଜେଡି । ତିର୍ତ୍ତୋଲ ପାଇଁ ସ୍ବର୍ଗତ ବିଷ୍ଣୁ ଦାସଙ୍କ ସୁପୁତ୍ର ବିଜୟ ଶଙ୍କର ଦାସଙ୍କ ନାଁ ପାଇଁ ସ୍ଥାନୀୟ କର୍ମୀ ଆଶା ରଖିଥିଲେ । ମାତ୍ର ସବୁଠାରୁ ଅଧିକ ତର୍ଜମା ଚାଲିଥିଲା ବାଲେଶ୍ଵର ବିଧାୟକ ପ୍ରାର୍ଥୀକୁ ନେଇ । ପ୍ରଥମେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ନାଁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଦଳ ପକ୍ଷରୁ ଏହାକୁ ଘୋର ବିରୋଧ କରାଯାଇଥିଲା । ପରେ ରବୀନ୍ଦ୍ର ଜେନାଙ୍କୁ ପ୍ରାର୍ଥୀ କରିବାକୁ ବିଜେଡ଼ି ଚାହିଁଥିଲା । ମାତ୍ର ତାଙ୍କୁ ମଧ୍ୟ ଦଳର ବାଲେଶ୍ଵର କର୍ମୀ ପ୍ରତ୍ୟାଖ୍ୟାନ କରିଥିବାରୁ ଦଳର ସଭାପତି ନୂତନ ଚେହେରାକୁ ସୁଯୋଗ ପ୍ରଦାନ କରିଛନ୍ତି । ସେ ବାଲେଶ୍ଵର ପାଇଁ ସ୍ୱରୁପ କୁମାର ଦାସ ଙ୍କୁ ଚୟନ କରିଛନ୍ତି । ବାଲେଶ୍ୱର ସଦର ଆସନରୁ ଉପନିର୍ବାଚନ ପାଇଁ ଘୋଷଣା ହୋଇଥିବା ପ୍ରାର୍ଥୀ ସ୍ୱରୁପ ଦାସ, ପୂର୍ବରୁ ସେ ବାଲେଶ୍ୱରର କାଉନସିଲର ଭାବେ କାର୍ଯ୍ୟ କରିଆସିଛନ୍ତି । ସେ ଜଣେ ଟାଣୁଆ ନେତା ଭାବେ ପରିଚିତ ।
ଗତକାଲି ବିଜେପି ପକ୍ଷରୁ ଉଭୟ ଆସନ ପାଇଁ ପ୍ରାର୍ଥ ଘୋଷଣା କରାଯାଇଛି । ବାଲେଶ୍ୱର ସଦରରୁ ମାନସ ଦତ୍ତ ଓ ତିର୍ତ୍ତୋଲ ଆସନରୁ ରାଜକିଶୋର ବେହେରାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିସାରିଛି ବିଜେପି । ଆଜି ତିର୍ତ୍ତୋଲ ଆସନରୁ ଘୋଷଣା ହୋଇଥିବା ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରଥମେ ବିଜେପି ଓ ପରେ ବିଜେଡି ନିଜ ନିଜର ପ୍ରାର୍ଥୀ ଘୋଷଣା କରିଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କଂଗ୍ରେସ ଦଳ କୌଣସି ବି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ।